Categories: ଜାତୀୟ

ବିବାହିତ ମହିଳାଙ୍କ ସହ ଲିଭଇନ୍‌ ବେଆଇନ

ଜୟପୁର,୧୭।୮ : ଜଣେ ପୁରୁଷଙ୍କ ସହ ଲିଭଇନ୍‌ରେ ଥିବା ବିବାହିତ ମହିଳାଙ୍କ ସମ୍ପର୍କକୁ ବେଆଇନ କହିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏଥି ସହିତ ଜଷ୍ଟିସ ସତିଶ କୁମାର ଶର୍ମା ଆବେଦନକାରୀଙ୍କ ପୋଲିସ ସୁରକ୍ଷା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀ ୩୦ ବର୍ଷୀୟା ବିବାହିତ ମହିଳା ଓ ତାଙ୍କ ୨୭ ବର୍ଷୀୟ ପୁରୁଷ ବନ୍ଧୁ ଆବେଦନରେ ସେମାନଙ୍କ ଜୀବନ ପ୍ରତି ବିପଦ ଦର୍ଶାଇଥିଲେ।

ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷ ରଖୁଥିବା ଓକିଲ ଦର୍ଶାଇଥିଲେ ଯେ, ଦୁଇ ଆବେଦନକାରୀ ସାବାଳକ ଅଟନ୍ତି। ଆଉ ସହମ୍ମତିରେ ଲିଭ୍‌ଇନ ରିଲେଶନଶିପ୍‌ରେ ଅଛନ୍ତି। ମହିଳା ଜଣଙ୍କ ଅନ୍ୟତ୍ର ବିବାହ କରିଛନ୍ତି। କିନ୍ତୁ ଅଲଗା ରହିବାକୁ ତାଙ୍କୁ ବାଧ୍ୟ କରାଯାଉଛି। କାରଣ ଶାଶୁଘରେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଛନ୍ତି ସ୍ବାମୀ। ଏବେ ମହିଳାଙ୍କ ସହ ଲିଭ ଇନ୍‌ରେ ଥିବା ବ୍ୟକ୍ତିଙ୍କୁ ଧମକ ମିଳୁଛି। ସେମାନଙ୍କ ଜୀବନ ବିପଦ ଅଛି। ଏଣୁ ଆବେଦନକାରୀଙ୍କୁ ପୋଲିସ ସୁରକ୍ଷା ଦିଆଯାଉ।

କିନ୍ତୁ ଦୁଇ ଆବେଦନକାରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଅବୈଧ, ସାମାଜ ବିରୋଧୀ ଓ ଏହା ଆଇନ ବିରୋଧରେ ବୋଲି ଦର୍ଶାଇଥିଲେ ମହିଳାଙ୍କ ସ୍ବାମୀ ଓ ତାଙ୍କ ପରିବାର ପକ୍ଷ ରଖୁଥିବା ଓକିଲ। ଉଭୟଙ୍କ ଯୁକ୍ତିଙ୍କୁ ଶୁଣିବା ପରେ ଜଷ୍ଟିସ ଶର୍ମା କହିଥିଲେ, ପ୍ରଥମ ଆବେଦନକାରୀ ଜଣେ ବିବାହିତା। ସେ ବିବାହ ବିଚ୍ଛେଦ କରି ନାହାନ୍ତି। ଏହାସତ୍ତ୍ୱେ ସେ ଦ୍ୱିତୀୟ ଆବେଦନକାରୀଙ୍କ ସହ ଲିଭଇନ୍‌ ରିଲେଶନଶିପ୍‌ରେ ରହୁଛନ୍ତି। ଏହି ପରିପେକ୍ଷୀରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବେଆଇନ। ଏଣୁ ଏମାନଙ୍କୁ ପୋଲିସ ସୁରକ୍ଷା ଦେବାର ଅର୍ଥ ଏଭଳି ଅନୈତିକ ସମ୍ପର୍କକୁ ଅନୁମତି ଦେଇଦେବା।

Share