Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ବେଳେ ବାଂଲାଦେଶର ଅଭିଜ୍ଞ  ଉଇକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ସର୍ବାଧିକ ଶିକାର କରି ୪୭ ବର୍ଷର ପୁରୁଣା ରେକର୍ଡକୁ ଧ୍ୱଂସ କରିଛନ୍ତି ଲିଟନ୍ ।

ଜୋହାନ୍ସବର୍ଗର ୱାଣ୍ଡରର୍ସ ମଇଦାନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନିମ୍ନକ୍ରମର ବ୍ୟାଟ୍ସମାନେ ଦମଦାର ପ୍ରଦର୍ଶନ କରି ବାଂଲାଦେଶର ସ୍କୋରକୁ ଅତିକ୍ରମ କରିବା ସହ ୫୦୦ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲେ । ମାତ୍ର ଏହି ସମୟରେ ଉଇକେଟ୍ ପଛରେ ଲିଟନ୍ ଦାସଙ୍କ ଯାଦୁ ଦେଖିବାକୁ ମିଳିଥିଲା ।

ଲିଟନ୍ ଦାସ ପ୍ରଥମେ ରାୟନ ରିକଲ୍‌ଟନ୍‌ଙ୍କୁ ଷ୍ଟମ୍ପ ଆଉଟ୍ କରି ପାକିସ୍ତାନର ପୂର୍ବତନ ଉଇକେଟ୍ କିପର୍ ୱାସିମ୍ ବାରୀଙ୍କ ସମେତ ୫ ଜଣ କିପରଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ଏହାପରେ କାଗିସୋ ରାବାଡ଼ାଙ୍କ କ୍ୟାଚ୍ ଧରି ସେ ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଥିଲେ । ଏହି ଇନିଂସରେ ଲିଟନ୍ ମୋଟ ୮ଟି ଶିକାର (୬ଟି କ୍ୟାଚ୍ ଏବଂ ୨ଟି ଷ୍ଟମ୍ପିଂ) କରି ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ସର୍ବାଧିକ ଶିକାର କରିଥିବା ବିଶ୍ୱର ପ୍ରଥମ ଉଇକେଟ୍ କିପର୍ ହୋଇପାରିଛନ୍ତି ।

୧୯୭୯ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ୱାସିମ୍ ବାରୀ ଗୋଟିଏ ପାଳିରେ ୭ଟି ଶିକାର କରି ବିଶ୍ୱ ରେକର୍ଡ କରିଥିଲେ । ତାଙ୍କ ପରେ ବବ୍ ଟେଲର (ଇଂଲଣ୍ଡ), ଇଆନ୍ ସ୍ମିଥ୍ (ନ୍ୟୁଜିଲାଣ୍ଡ), ରିଡ୍‌ଲେ ଜ୍ୟାକବ୍ସ (ୱେଷ୍ଟଇଣ୍ଡିଜ୍) ଏବଂ ଜୋଶୁଆ ଡା ସିଲଭା (ୱେଷ୍ଟଇଣ୍ଡିଜ୍) ମଧ୍ୟ ୭-୭ ଲେଖାଏ ଆଉଟ୍ କରିଥିଲେ। କିନ୍ତୁ ଲିଟନ୍ ଦାସ ନିଜର ୬୦ତମ ଟେଷ୍ଟ ମ୍ୟାଚ୍‌ରେ ଏହି ଐତିହାସିକ ସଫଳତା ହାସଲ କରି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।

Dharitri – Odisha’s No.1 Odia Daily

Share