୩ ଲକ୍ଷ ଟଙ୍କାର ମଦ ଜବତ: ବନ୍ଧା ହେଲେ ୫ ଅଭିଯୁକ୍ତ

ଭଦ୍ରକ ଅଫିସ,୫।୬: ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ, ସାବରଙ୍ଗ ଓ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ଅର୍ଣ୍ଣପାଳଛକ, କେଶପୁର, ହାତୀସାହି, ବାଙ୍କାବଜାର ଓ ପଠାଣମହଲା ଗ୍ରାମ ଅଞ୍ଚଳରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୬୧.୨୦୦ ଲିଟର ବିଦେଶୀ ମଦ, ୬୫ ଲିଟର ଆସ୍କା ଫର୍ଟି ମଦ ଏବଂ ଗୋଟିଏ ଯାତ୍ରୀବାହି ଅଟୋ (ଓଡି-୨୨ଜି-୪୭୯୮) ଜବତ କରିଛନ୍ତି।

ଏପରକି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତମାନେ ହେଲେ ଅର୍ଣ୍ଣପାଳ ଗ୍ରାମର ସହଦେ ପୃଷ୍ଟି, କେଶପୁର ଗ୍ରାମର ରାଖାଲ ବେହେରା, ହାତୀସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ, ବାଙ୍କାବଜାର ଗ୍ରାମର ମହେଶ୍ୱର ବେହେରା ଓ ପଠାଣମହଲା ଗ୍ରାମର ମୁରଲୀଧର ବେହେରା l ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଚଢାଉରେ ସହକାରୀ ଉପ-ନିରୀକ୍ଷକ ପ୍ରହ୍ଲାଦ ସାମଲ, ରମେଶ ନାୟକ, କନଷ୍ଟେବଳ ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ରାମଚନ୍ଦ୍ର ନାୟକ, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାସ ପ୍ରମୁଖ ସାମିଲ ଥିଲେ। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୫ଟି ମାମଲା ରୁଜୁ ହୋଇଛି।