ରାୟପୁର,୧୦।୩: ଛତିଶଗଡ଼ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ଚଢ଼ାଉ କରିଥିଲେ। ଭୂପେଶଙ୍କ ପୁଅ ଚୈତନ୍ୟ ବଘେଲଙ୍କ ଭିଲାଇସ୍ଥିତ ବାସଭବନରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି।
ମଦ ଦୁର୍ନୀତିରେ ଚୈତନ୍ୟଙ୍କ ସମ୍ପୃକ୍ତ ଥିବା କୁହାଯାଉଛି। ଏଥିସହିତ ଅନ୍ୟ ଅଭିଯୁକ୍ତ ଲକ୍ଷ୍ମୀ ନାରାୟଣ ବଂଶଲ ଓରଫ ପପୁ ବଂଶଲ ଓ ଅନ୍ୟ କେତେଜଣଙ୍କ ଘରେ ଇଡି ଚଢ଼ାଉ କରିଛି। ମଦ ଦୁର୍ନୀତିରୁ ଚୈତନ୍ୟ ଟଙ୍କା ପାଇଥିବା ସନ୍ଦେହ କରାଯାଉଛି। ବଘେଲଙ୍କ ଘରେ ଚଢ଼ାଉ ବେଳେ ଇଡି ଅଧିକାରୀମାନଙ୍କ କାର୍କୁ ପଥର ମାଡ଼ ହୋଇଥିବା ଜଣାପଡ଼ିଛି।
ବଘେଲଙ୍କ ଘରେ ଇଡି ଚଢ଼ାଉକୁ ନେଇ ଛତିଶଗଡ଼ ବିଧାନସଭାରେ ସୋମବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ଭାଜପା ବିରୋଧରେ ସ୍ଲୋଗାନ ଦେଇଥିଲେ। ଗୃହ ଚଳାଇ ନ ଦେବା ଏବଂ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ବିଧାନସଭାର କେତେଜଣ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ହଟ୍ଟଗୋଳ ବେଳେ ଭୂପେଶ ବଘେଲ ଗୃହରେ ଉପସ୍ଥିତ ନ ଥିବା ଜଣାପଡିଛି।

