କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ, ବିଦେଶୀ ମଦ କାରବାର ବଢ଼ିଚାଲିଛି। ଗରିବ ଜନଜାତି ସମ୍ପ୍ରଦାୟର ବୟସ୍କଙ୍କଠାରୁ ଆରମ୍ଭ କରି କିଶୋରମାନଙ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ବ୍ୟକ୍ତି ନିଶା ସେବନ କରି ମାନସିକ ଭାରସାମ୍ୟ ହରାଇ ଅଘଟଣ କରିଚାଲିଛନ୍ତି। କେତେବେଳେ ଅଞ୍ଚଳରେ ମାରପିଟ ତ ଅନ୍ୟ କେତେବେଳେ ନିଜେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ହେଲେ ପୋଲିସ କି ଅବକାରୀ ବିଭାଗ ଏ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ବେଆଇନ ମଦ କାରବାର ବଢ଼ିଚାଲିଛି। ଅନ୍ୟପକ୍ଷରେ ମଦ୍ୟପାନ କରି ସାଧାରଣ ଲୋକେ ସର୍ବସ୍ବାନ୍ତ ହେଉଛନ୍ତି।
ସେହିପରି କେସିଙ୍ଗା ସହରରେ ଚୋରା ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଏହାର ପ୍ରଭାବରେ ନାବାଳକ ଓ ଯୁବକମାନେ ନିଶାଗ୍ରସ୍ତ ହୋଇ ଅପରାଧ ମୁହାଁ ହେଉଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସହରବାସୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସହରର ବିଭିନ୍ନ ପଡ଼ାରେ ଚୋରା ଦେଶୀ ଓ ବିଦେଶୀ ମଦ, ନକଲି ବିଦେଶୀ ମଦ, ଗଞ୍ଜେଇ, କଫସିରପ ଖୋଲାଖୋଲି ବିକ୍ରି ହେଉଛି। ଫଳରେ ଅନେକ ନାବାଳକ ଓ ଯୁବକ ଏହି ନିଶାଗ୍ରସ୍ତ ହୋଇ ବିଭିନ୍ନ ଅସାମାଜିକ କାମ କରିବାରେ ପଛାଉ ନାହାନ୍ତି।
ଗତ ରଥଯାତ୍ରା ସମୟରେ ନିଶାଗ୍ରସ୍ତ ଦୁଇ ନାବାଳକ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇ ଛୁରାମାଡ଼ ହୋଇଥିଲା। କେସିଙ୍ଗା ଥାନା ଅଧିନସ୍ଥ ତହଁସିର ଅଞ୍ଚଳରଜଣେ ନାବାଳକଙ୍କ ନିକଟରୁ ଲ୍ୟାପ୍ଟପ୍ ସମେତ କିଛି ସାମଗ୍ରୀ ଜବତ କରିଥିଲା। ଯାହା ନାବାଳକମାନେ ପଥଭ୍ରଷ୍ଟ ହେବା ଅଭିଯୋଗକୁ ପ୍ରମାଣିତ କରିଛି। ସହରର ବୁଢ଼ାଡଙ୍ଗର ପାହାଡ଼, ଭେଟ୍ନାରି କମ୍ପ୍ଲେକ୍ସ, କେସିଙ୍ଗା କଲେଜ ପରିସର, ବସଷ୍ଟାଣ୍ଡ୍, କୁର୍ଲୁପଡାସ୍ଥିତ ଏମଏସଏମଇ ପାର୍କ, ରେଳ ଷ୍ଟେଶନ, ତେଲନଦୀ ରାସ୍ତା, ନିର୍ମାଣାଧୀନ ଓଭର ବ୍ରିଜ ଅଞ୍ଚଳ ଓ ମଶାନିମୁଣ୍ଡା ରାସ୍ତା ସମେତ ବିଭିନ୍ନ ସ୍ଥାନରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି। ଅଧିକାଂଶ ଲୋକେ ଗଞ୍ଜେଇ ସେବନ କରୁଥିବା ଯୁବକଙ୍କ ସଂଖ୍ୟା ବଢ଼ୁଥିବା ସ୍ଥାନୀୟ ଯୁବକ ମାତାଲ ହୋଇ ବୁଲୁଥିବା ଦେଖାଯାଉଛି।
ସେହିପରି କୁର୍ଲ୍ଲପଡ଼ା, ବଲାଙ୍ଗୀର ଛକ, ବଗାଡ଼, ତିନିକୋଣିଆ, ଆମ୍ବେଦକର ଛକ, ହାଇସ୍କୁଲ ଅଞ୍ଚଳ, ବୋରିଙ୍ଗପଦର ଓ ପଲକାପଡ଼ା ଛକ ସମେତ ସହରର ଅନେକ ସ୍ଥାନରେ ଚୋରା ମଦ ବିକ୍ରି ବଢ଼ୁଥିବା ଅଭିଯୋଗ ହେଉଛି। ସ୍କୁଲ,କଲେଜ, ବିଭିନ୍ନ ସରକାରୀ ,ବେସରକାରୀ ଅନୁଷ୍ଠାନ ଭ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏଭଳି ବେଆଇନ କାରବାର ଚାଲୁଥିବା ନେଇ ସହରର ବୁଦ୍ଧିଜୀବି ମହଲରେ ଅଶାନ୍ତ ପ୍ରକାଶ ପାଉଛି। କେସିଙ୍ଗାରେ ବହୁ ସଂଖ୍ୟକ ଚାଉଳ ମିଲ, ସିମେଣ୍ଟ ଗୋଦାମ, ସାର ଗୋଦାମ ଓ ଛୋଟ ବଡ଼ ଶିଳ୍ପସଂସ୍ଥା ଗୁଡ଼ିକରେ କାର୍ଯ୍ୟରତ ୫ ହଜାରରୁ ଉଦ୍ଧର୍ବ ଶ୍ରମିକ କାର୍ଯ୍ୟ କରୁଛନ୍ତି।
ଏହାର ସୁଯୋଗ ନେଇ ଚୋରା ବିଦେଶୀ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛ। ଏହାର ପ୍ରଭାବରେ ଅନେକ ଶ୍ରମିକ ପରିବାର ଆର୍ଥିକ ଓ ସାମାଜିକ ସଙ୍କଟରେ ପଡ଼ୁଥିବା କୁହାଯାଉଛି। ମଦ ଚଢ଼ଉରେ ପୁଲିସର କ୍ଷମତା କମି ଯାଇଥିବାରୁ ପୁଲିସ ଆଉ ଚୋରା ମଦ ଉପରେ ଚଢ଼ାଉ କରୁ ନାହିଁ ।
ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଧର୍ମକୁ ଆଖିଠାର ସଦୃଶ। ଫଳରେ ଚୋରା ନିଶା କାରବାର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଏହାର ପ୍ରଭାବରେ ଚୋରି, ମାଡ଼ପିଟ, ଘରୋଇ ହିଂସା, ଗୋଷ୍ଠୀ ବିବାଦ, ଏବଂ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି। ଯାତ୍ରୀମାନେ ରାତିରେ ରେଳ ଷ୍ଟେଶନକୁ ଯାତାୟାତ କରୁଥିବା ଯାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ଚୋରା ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାବାଳକ ଓ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଦାବି କରୁଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ଥାନା ଅଧିକାରୀ ଦଣ୍ଡସେନା ବାବୁଙ୍କୁ ପଚାରିବାରୁ ଯେଉଁଠାରୁ ଅଭିଯୋଗ ହେଉଛି, ଆମ ଦଳ ସହ ସେହି ସ୍ଥାନରେ ପହଁଚି ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ବୋଲି ପ୍ରକାଶ କରିଥିଲେ।