ଚାଇନିଜ ଗୁପ୍ତଚରଙ୍କ ସହ ସମ୍ପର୍କ, ପତ୍ନୀଙ୍କ ସହ ବିଶ୍ୱାସଘାତକତା: AI ଚିପ କମ୍ପାନୀ ‘ଏନଭିଡିଆ’ (Nvidia) ର ମାଲିକଙ୍କ ବଡ଼ ସ୍ବୀକାରୋକ୍ତି

ବେଜିଂ,୯।୧୧: ବିଶ୍ୱର ଅନ୍ୟତମ ବୃହତ୍ତମ AI ଚିପ ନିର୍ମାତା କମ୍ପାନୀ ‘ଏନଭିଡିଆ’ (Nvidia) ର CEO ଜେନସେନ ହୁଆଙ୍ଗଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ହୁଆଙ୍ଗ ସ୍ବୀକାର କରିଛନ୍ତି ଯେ ଜଣେ ଚାଇନିଜ ଗୁପ୍ତଚରଙ୍କ ସହ ତାଙ୍କର ସମ୍ପର୍କ ଥିଲା, ଯିଏ ‘ଏନଭିଡିଆ’ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ବେଜିଂକୁ ପହଞ୍ଚାଉଥିଲେ। ଏହି ଘଟଣା ପରେ ‘ଏନଭିଡିଆ’ ଏହାର ତଦନ୍ତ ଆରମ୍ଭ କରିଛି।
ଅକ୍ଟୋବର ୨୯ ରେ ‘ଦି ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି ଯେ, ହୁଆଙ୍ଗ ଏକ ଚାଇନିଜ ଗୁପ୍ତଚର ଷଡ଼ଯନ୍ତ୍ରର ଶିକାର ହୋଇଥିଲେ। ଏହି ଷଡ଼ଯନ୍ତ୍ରର ମୁଖ୍ୟ ସୂତ୍ରଧର ଥିଲେ ଆଲିସ ହୁଆଙ୍ଗ ନାମ୍ନୀ ଜଣେ ଚାଇନିଜ ବ୍ୟବସାୟୀ ମହିଳା; ସେ ହିଁ ଏହି ଜାଲ ବିଛାଇଥିଲେ ଯେଉଁଥିରେ ‘ଏନଭିଡିଆ’ର CEO ଫସି ଯାଇଥିଲେ। ଆଲିସ ‘ଏନଭିଡିଆ’ର ଅତ୍ୟାଧୁନିକ AI ଚିପ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ବେଜିଂକୁ ପଠାଉଥିଲେ।
Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ଜଣେ ଚାଇନିଜ ଗୁପ୍ତଚରଙ୍କ ସହ ସମ୍ପର୍କ ରଖିଥିବା କଥା ସ୍ବୀକାର କରିଛନ୍ତି। ଆମେରିକୀୟ ନ୍ୟୁଜ ୱେବସାଇଟ ‘Axios’ (ଆକ୍ସିଓସ) ଦ୍ୱାରା ହାସଲ କରାଯାଇଥିବା ଏକ ଇମେଲରେ ହୁଆଙ୍ଗ ଉଲ୍ଲେଖ କରିଛନ୍ତି ଯେ, ସେ କମ୍ପାନୀର ସମସ୍ତ କର୍ମଚାରୀ ଏବଂ ନିଜ ପରିବାର ନିକଟରେ କ୍ଷମା ମାଗିବାକୁ ଚାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାର ଯେକୌଣସି ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ। ନିଜ ଇମେଲରେ ହୁଆଙ୍ଗ ଲେଖିଛନ୍ତି, ‘ମୁଁ ମୋ ପରିବାର ନିକଟରେ କ୍ଷମା ମାଗିବାକୁ ଚାହେଁ। ମୁଁ ମୋ ପତ୍ନୀଙ୍କ ପ୍ରତି ବିଶ୍ୱାସଘାତକତା କରିଛି। ମୋର କାର୍ଯ୍ୟକଳାପ ମୋ ପତ୍ନୀ ଏବଂ ପିଲାମାନଙ୍କୁ କଷ୍ଟ ଦେଇଛି।’
Nvidia ସିଇଓ ଇମେଲରେ ଆହୁରି ମଧ୍ୟ ଲେଖିଛନ୍ତି, ‘ମୋ ପରିବାର ସର୍ବଦା ମୋତେ ସମର୍ଥନ କରିଆସିଛନ୍ତି; ସେମାନେ ମୋ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମୋ ସାଥୀରେ ଛିଡ଼ା ହୋଇଛନ୍ତି। ସେମାନେ ମୋଠାରୁ ସଚ୍ଚୋଟତା ଏବଂ ନିଷ୍ଠା ପାଇବାକୁ ଯୋଗ୍ୟ, କିନ୍ତୁ ମୁଁ ସେମାନଙ୍କୁ ନିରାଶ କରିଛି। ମୁଁ ମୋ ପରିବାରର ଭାବନାକୁ ଆଘାତ ଦେଇଛି। ମୁଁ ମୋର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଛି ଏବଂ ମୋ ବିରୋଧରେ ଆସୁଥିବା ସମସ୍ତ ସମାଲୋଚନାକୁ ମଧ୍ୟ ଗ୍ରହଣ କରୁଛି।’

Dharitri – Odisha’s No.1, Most Trusted Odia Daily

Share