ସୀମାହୀନ ଯୋଜନା, ଲକ୍ଷ୍ୟଭ୍ରଷ୍ଟ ପରିଣତି

ଆମ ରାଜ୍ୟରେ ଥିବା ପ୍ରତ୍ୟେକ ବ୍ଲକର ୧୯୮୦ ମସିହା ପୂର୍ବର ହିସାବ ଦେଖିଲେ ଜଣାଯିବ ଯେ ସମସ୍ତ ବ୍ଲକରେ ଗ୍ରାମୀଣ ଗୃହ ଯୋଜନାରେ କିଛି ବ୍ୟକ୍ତିଙ୍କୁ ଋଣ ଦିଆଯାଉଥିଲା। ଋଣ ଗ୍ରହୀତାମାନେ ଘର ତିଆରି କରି ମୂଳ ସହ ସୁଧ ବି ପଇଠ କରୁଥିଲେ। ୧୯୮୦ ମସିହାରେ ଇନ୍ଦିରା ଗାନ୍ଧୀ ପୁନଃ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଗୃହହୀନ ପରିବାର ପାଇଁ ସମନ୍ବିିତ ଗୃହନିର୍ମାଣ ଯୋଜନା ଆରମ୍ଭ କରିଥିଲେ। ପ୍ରତ୍ୟେକ ଜିଲାରେ ବାସହୀନ ପରିବାର ପାଇଁ ଏହି ଯୋଜନାରେ ପ୍ରଥମେ ଏକଶହ ଆଦର୍ଶ ଗୃହ ନିର୍ମାଣ କରାଯାଇ ଆବଣ୍ଟିତ କରାଗଲା। କିନ୍ତୁ ଆନୁଷଙ୍ଗିକ ବ୍ୟବସ୍ଥା ନ ଥାଇ ଜନବସତିଠାରୁ ଦୂରରେ ନିର୍ମିତ ଘରେ ଚିହ୍ନଟ ହୋଇଥିବା ଉପଭୋକ୍ତାମାନେ ରହିବା ପରିବର୍ତ୍ତେ ଗୃହରେ ବ୍ୟବହୃତ ଉପକରଣକୁ ବିକ୍ରି ବା ସ୍ଥାନାନ୍ତର କରିଦେଲେ। ତା’ପରେ କେବଳ ଘରବାଡ଼ି ଜାଗା ଥାଇ ଘର ନ ଥିବା ଗରିବଙ୍କ ପାଇଁ ବ୍ୟକ୍ତିଗତ ଗୃହ ନିର୍ମାଣ କରାଗଲା। ଶାସନ ପରିବର୍ତ୍ତନରେ ଯୋଜନାର ନାମ ବଦଳାଯାଇ ଇନ୍ଦିରା ଆବାସ ଯୋଜନାରୁ ରାଜୀବ ଆବାସ ଯୋଜନା, ଏବେ ବିଜୁ ପକ୍କାଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଥମେ ପ୍ରତ୍ୟେକ ଘର ପ୍ରତି ତତ୍କାଳୀନ ମୂଲ୍ୟ ସୂଚୀ ଅନୁଯାୟୀ ଅନୁଦାନ ଛଅ ହଜାରରୁ ଏବେ ଦୁଇ ଲକ୍ଷ ପଚାଶ ହଜାରକୁ ବୃଦ୍ଧି ହୋଇଛି। ଯୋଜନାରେ ବି ଅନେକ ପରିବର୍ତ୍ତନ ହୋଇ ପୂର୍ବରୁ ଆଜବେଷ୍ଟସ ଘର ପରିବର୍ତ୍ତେ ଏବେ କୋଠାଘର ପାଇଁ ଅର୍ଥ ମଞ୍ଜୁର ହେଉଛି। ଭୂମିହୀନ ଲୋକଙ୍କୁ ସରକାରୀ ଜାଗା ଦିଆଯାଇ ଘର ତିଆରି ପାଇଁ ଅର୍ଥ ଦିଆଯାଉଛି। କିନ୍ତୁ ଆଶାୟୀଙ୍କ ସଂଖ୍ୟା ବଢୁଛି । ଏହି ଯୋଜନା ନିକଟ ଭବିଷ୍ୟତରେ ଶେଷ ନ ହୋଇ ଦୀର୍ଘକାଳ ପର୍ଯ୍ୟନ୍ତ ଚାଲୁ ରହିବା ରାଜନୈତିକ ଓ ପ୍ରଶାସନିକ ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି।
ଏହା ସତ୍ୟ ଯେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ଦ୍ବିତୀୟ ପର୍ଯ୍ୟାୟରେ ତାଙ୍କ ଉତ୍ତରାଧିକାରୀ(ପୁଅ) ଓ ଏବେ ତାଙ୍କର ତୃତୀୟ ପୁରୁଷ (ନାତି) ଏହି ଯୋଜନାର ହିତାଧିକାରୀ ହେଉଛନ୍ତି। ଯୋଜନାରେ କିଛି ଅର୍ଥ ହାତେଇବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଦଲାଲ ସୃଷ୍ଟି ହେବା ଯୋଗୁ ସ୍ବଚ୍ଛତା ପାଇଁ ଯେତେ ନିୟମ କରାଗଲେ ବି ରାଜନୈତିକ ଅଭିସନ୍ଧି ଏବଂ ପ୍ରଶାସନିକ ଦୁର୍ନୀତିରେ ସବୁକିଛି କେବଳ କାଗଜପତ୍ର ଓ ପରିସଂଖ୍ୟାନରେ ସୀମିତ ରହିବାରୁ ଯୋଜନାର ବାସ୍ତବତା ବାଟବଣା ହୋଇଯାଉଛି। ଯୋଜନାରେ ସ୍ବଚ୍ଛତା ପାଇଁ ଗ୍ରାମସଭାରେ ହିତାଧିକାରୀ ଚୟନ ବ୍ୟବସ୍ଥା ଥିଲେ ମଧ୍ୟ ରାଜନୈତିକ ଚାପରେ ତାହା ପରିଚାଳିତ ହେଉଛି। ୨୦୧୧ ମସିହା ଜନଗଣନାରେ ଏକାନ୍ନ ପରିବାର ଭାବେ ସ୍ବୀକୃତ ଗୃହର ମୁଖ୍ୟ ଏହି ଯୋଜନାରେ ଘର ପାଇବା ପରେ ବାପାଠାରୁ ପୁଅ ବା ରୋଜଗାରକ୍ଷମ ଭାଇଠାରୁ ଅନ୍ୟ ଭାଇମାନେ ପୃଥକ୍‌ ଦର୍ଶାଇ ଗୋଟିଏ ପରିବାରରେ ତିନି ଚାରି ଜଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଦ୍ବିତଳ ବା ତ୍ରିତଳ କୋଠାଘର କରିଥିବା ଉଦାହରଣର ଅଭାବ ନାହିଁ। ଏହି ଯୋଜନା କେବଳ ରାଜନୈତିକ ଦଳକୁ ବା ଦଲାଲଙ୍କୁ ଫାଇଦା ଦେଇନାହିଁ ବରଂ ଉପରୁ ତଳ ସ୍ତର ପର୍ଯ୍ୟନ୍ତ ସମ୍ପୃକ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯଥେଷ୍ଟ ଆର୍ଥିକ ଲାଭ ପାଇଛନ୍ତି। ଯୋଜନା ଆରମ୍ଭ ହେବାର କିଛି ବର୍ଷ ପରେ ନିଷ୍ପତ୍ତି ଅନୁଯାୟୀ ବ୍ଲକ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅଗ୍ରିମ ସିମେଣ୍ଟ, ଆଜବେଷ୍ଟସ ଦେବା ପାଇଁ ସମ୍ପୃକ୍ତ କମ୍ପାନୀ ସହ ଚୁକ୍ତି କରାଗଲା। ହିତାଧିକାରୀମାନଙ୍କୁ ସେଇ ସିମେଣ୍ଟ ଓ ଆଜବେଷ୍ଟସ ସହ ଅର୍ଥ ଏବଂ ଅନ୍ୟ କିଛି ବ୍ଲକରେ ଲୁହାବରଗା ଅଗ୍ରିମ ଦିଆଗଲା। ମାତ୍ର ଉପର ସ୍ତରରେ ଦର ନିର୍ଦ୍ଧାରଣ ଯୋଗୁ ଏହି ସିମେଣ୍ଟ ଓ ଆଜବେଷ୍ଟସର ମାନ କମ୍‌ ରହିଲା । ବ୍ଲକମାନଙ୍କରେ ଗୋଦାମ ଘରର ଅଭାବ ସତ୍ତ୍ୱେ ଯଥେଷ୍ଟ ସିମେଣ୍ଟ ଓ ଆଜ୍‌ବେଷ୍ଟସ ପଠାଗଲା। ଆଜିର ତାରିଖରେ ମଧ୍ୟ ୩୦ ବର୍ଷ ପୂର୍ବର ଅଗ୍ରିମ ଭାବେ ଦିଆଯାଇଥିବା ସିମେଣ୍ଟ, ଆଜବେଷ୍ଟସ ଓ ଅର୍ଥ ମଜୁରା ହୋଇ ନ ଥିବା ବେଳେ ହଜାର ହଜାର ବସ୍ତା ସିମେଣ୍ଟ ମଧ୍ୟ ଆତ୍ମସାତ ବା ପଥର ହୋଇଥିବା ତଥ୍ୟ ଅଡିଟ୍‌ ଦ୍ବାରା ସରକାରଙ୍କ ଦୃଷ୍ଟିକୁ ଆସିବାରୁ ସେଇ ବ୍ୟବସ୍ଥା ବନ୍ଦ ହୋଇଗଲା। କିନ୍ତୁ ଏଥିପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀମାନେ ଚାକିରି କାଳ ଶେଷ କରି ପେନ୍‌ସନ ଭୋଗ କରୁଛନ୍ତି। ଅଗ୍ରିମ ସିମେଣ୍ଟ ଏବଂ ଆଜ୍‌ବେଷ୍ଟସ ପାଇ ଘର କରି ନ ଥିବା ବ୍ୟକ୍ତି ବା ତାଙ୍କ ପୁଅ ହିତାଧିକାରୀ ଭାବେ ପୁନଶ୍ଚ ଘର ପାଇବାକୁ ଯୋଗ୍ୟ ହୋଇ ସାରିଛନ୍ତି। ୧୯୯୯ ମସିହାରେ ଓଡ଼ିଶାରେ ମହାବାତ୍ୟା ସଂଗଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଓ ବିଭିନ୍ନ ରାଜ୍ୟର ଅନେକ ଲୋକ ସଭା ସଦସ୍ୟଙ୍କଠାରୁ ପ୍ରାପ୍ତ ଅନୁଦାନରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାମାନଙ୍କରେ ବାର ଲକ୍ଷରୁ ଅଧିକ କୋଠାଘର ନିର୍ମିତ ହୋଇଥିଲା ବେଳେ ପୂର୍ବରୁ ହିତାଧିକାରୀ ହୋଇ ଘର ପାଇଥିବା ବ୍ୟକ୍ତି ମଧ୍ୟ ଆଉଥରେ ସେହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଗଲେ।
୨୦୧୩-୧୪ ମସିହାରୁ ୩ବର୍ଷ ରାଜ୍ୟର ପ୍ରିନ୍ସିପାଲ ଏଜିଙ୍କ ନିର୍ଦ୍ଦେଶ ମତେ ପ୍ରତ୍ୟେକ କେନ୍ଦ୍ର ଯୋଜନାର ଥେମାଟିକ ଅଡିଟ ହୋଇଥିଲା। ଏଥିରେ କିଛି ହିତାଧିକାରୀଙ୍କ ଘର ବାତାନୁକୁଳିତ ହୋଇଥିବା ବେଳେ ଅନେକ ହିତାଧିକାରୀଙ୍କ ଘରର ଚଟାଣ ମାର୍ବଲ ପ୍ଲେଟ୍‌ରେ ନିର୍ମିତ ହୋଇଥିବା ଜଣାପଡିଥିଲା। କିନ୍ତୁ ଯୋଜନାରୁ ବଞ୍ଚିତ କିଛି ବ୍ୟକ୍ତିଙ୍କର ଛପର ହୋଇ ନ ଥିବା କଳା ପଲିଥିନ ଦ୍ୱାରା ଆବୃତ ଏକ ବଖରିଆ ଚାଳଘର ବିଦ୍ୟମାନ ରହିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ପ୍ରକାର ଘରର ଫଟୋ ଥାଇ ବାର୍ଷିକ ରିପୋର୍ଟ ପ୍ରକାଶିତ ହୋଇଥିବା ସତ୍ତ୍ୱେ କାହାକୁ ଉତ୍ତରଦାୟୀ କରାଯାଇ ନ ଥିଲା। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆବଶ୍ୟକ ଅନୁଯାୟୀ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦେବା ଦ୍ୱାରା ଅନିୟମିତତା ସୃଷ୍ଟି ହେଉଛି। ନିକଟରେ ପ୍ରକାଶିତ ଏଜିଙ୍କ ଅଡିଟ୍‌ ରିପୋର୍ଟରେ ୨୦୧୬-୧୭ରୁ ୨୦୨୦-୨୧ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ଅର୍ଥ ବିନିଯୋଗ ହୋଇ ନ ପାରିବା ବା ଗ୍ରାମସଭାରେ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ବାଦ୍‌ ଦେବା ରିପୋର୍ଟ ମୂଳରେ ରାଜନୈତିକ ଅଭିସନ୍ଧି ଓ କାଦୁଅଫିଙ୍ଗା ରାଜନୀତି ରହିଥିବାରୁ ପ୍ରକୃତ ହିତାଧିକାରୀ ଯେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ତାହା ସ୍ପଷ୍ଟ ହେଉଛି। ଏହାର ନିରପେକ୍ଷ ତର୍ଜମା ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ଏହା ସୁସ୍ପଷ୍ଟ।
ଏବେ ସହରାଞ୍ଚଳ ଜାଗା ମିଶନ ଦ୍ବାରା ସରକାରୀ ଜମି ଏବଂ ଘର ତିଆରି ପାଇଁ ଅର୍ଥ ଦିଆଯାଉଛି। ଏହା ଶତ ପ୍ରତିଶତ ସତ୍ୟ ଯେ ସହରର ସରକାରୀ ଜାଗାରେ ଝୁମ୍ପୁଡି ଘର ତିଆରି କରି ସରକାରୀ ଜମି ଜବରଦଖଲ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଗ୍ରାମରେ ଘର ରହିଥିବା େଳେ ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ରହୁଥିବା ଅନେକ ମତ୍ସ୍ୟଜୀବୀ ପଡ଼ୋଶୀ ରାଜ୍ୟରୁ ଆସି ରହୁଛନ୍ତି। କିଛି ବାଂଲାଦେଶୀ ମଧ୍ୟ ଏଭଳି ଜବରଦଖଲ କରି ଭୋଟ ଅଧିକାର ପାଇଛନ୍ତି। ଆଧାର କାର୍ଡରେ ଠିକଣା ବଦଳାଇ ଏହି ଯୋଜନାରେ ଜାଗା ଓ ଘର ପାଇଥିବା ବା ଆଶାୟୀଙ୍କୁ ଚିହ୍ନଟ କରାଗଲେ ଅର୍ଦ୍ଧାଧିକ ବ୍ୟକ୍ତି ଯେ ଅଯୋଗ୍ୟ ବିବେଚିତ ହେବେ ଏଥିରେ ସନ୍ଦେହ ନାହିଁ। ଏହି ଯୋଜନାରେ ତିଆରି ଘର ବାତାନୁକୁଳିତ ହୋଇଥିବା କିମ୍ବା ଦୁଇ ବା ଚାରିଚକିଆ ଗାଡ଼ିର ମାଲିକ ହୋଇ ହିତାଧିକାରୀ ହେବା କେବଳ ରାଜନୈତିକ ପ୍ରଭାବରୁ ସମ୍ଭବ ହୋଇଛି। ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ସ୍ବଚ୍ଛତା ନ ରହିଲେ ଏହି ଯୋଜନା ଅନନ୍ତକାଳ ପର୍ଯ୍ୟନ୍ତ ଚାଲିଲେ ସମସ୍ୟାର ସମାଧାନ ପରିବର୍ତ୍ତେ ତେଲିଆ ମୁଣ୍ଡରେ ତେଲ ପରି କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ହିଁ ତା’ର ସୁଯୋଗ ନେଉଥିବେ। ପ୍ରକୃତ ଆଶାୟୀଙ୍କ ଆଶା କେବେ ବି ପୂରଣ ହେବନାହିଁ।

  • ହରିଶଙ୍କର ମିଶ୍ର
    ୧୧୩- ଗୁଣ୍ଡିଚା ବିହାର ପୁରୀ
    ମୋ: ୭୯୭୮୭୮୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri