ସ୍ଲୋଗାନରେ ସୀମିତ ସ୍ବଚ୍ଛତା ଅଭିଯାନ

ରାଉରକେଲା ଅଫିସ,୨୧।୫: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ତେବେ ଏହି ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି। ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା ବେଳେ ଏହାକୁ ଉଠାଯାଉ ନ ଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ରାଉରକେଲା ସ୍ମାର୍ଟସିଟି ହେବା ପରେ ସହର କିଭଳି ସ୍ବଚ୍ଛ ରହିବ ସେ ନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସମସ୍ତ ସରକାରୀ ଅଫିସ ପାଚେରିରେ ଚିତ୍ର ଅଙ୍କାଯିବା ସହ ସ୍ଲୋଗାନ ଲେଖି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ଆର୍‌ଏମ୍‌ସି ସାନିଟାରୀ ବିଭାଗ ଅଧୀନରେ ବହୁ ସଂଖ୍ୟକ ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯାଇ ସହରକୁ ଅଳିଆମୁକ୍ତ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିଛି। ସହର ସାରା ୧୦ହଜାରରୁ ଊର୍ଦ୍ଧ୍ୱ ଡଷ୍ଟବିନ୍‌ ଏବଂ ସହରର ପ୍ରମୁଖ ସ୍ଥାନରେ ଡଷ୍ଟୟାର୍ଡ ସ୍ଥାପନ କରାଯାଇଛି। ଏଥିସହ ସହରର ଡଷ୍ଟ୍‌ ଡିଙ୍ଗ ୟାର୍ଡ ଗୁଡିକରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ଅଲିଆଉଠା ଗାଡି ମଧ୍ୟ ନିୟୋଜିତ କରାଯାଇଛି। ତଥାପି ସ୍ମାର୍ଟସିଟି ଅଳିଆ ଆବର୍ଜନା ମୁକ୍ତ ନ ହେବା ଚିନ୍ତାର ବିଷୟ ପାଲଟିଛି।
ରାଉରକେଲା ବସଷ୍ଟାଣ୍ଡ ସରକାରୀ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାନ୍ଥ ଚାରିଆଡେ କୁଢ କୁଢ ଅଳିଆ ପଡିରହୁଛି। ଫଳରେ ବସଷ୍ଟାଣ୍ଡ ଅଞ୍ଚଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଲୋକମାନେ ନାକରେ କପଡ଼ା ଦେଇ ଯାଆସ କରୁଛନ୍ତି। ସେହିପରି ଉଦିତନଗର ସ୍ଥିତ ଶ୍ରମ କାର୍ଯ୍ୟାଳୟ ପଛପଟ ଅଳିଆ ଡମ୍ପିଂ ୟାର୍ଡରେ ମାସ ମାସ ଧରି କୁଢ କୁଢ ଅଳିଆ ଗଚ୍ଛିତ ହୋଇ ରହୁଥିଲେ ସୁଦ୍ଧା ଉଠାଯାଉନାହିଁ। ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଛି। କେବଳ ସହର ମୁଖ୍ୟରାସ୍ତାରୁ ଅଳିଆ ହଟାଯାଇ ସହର ଅଳିଆମୁକ୍ତ ଦର୍ଶାଯାଉଛି। ଉଦିତନଗର ହେଉଛି ରାଉରକେଲାର ପ୍ରମୁଖ କେନ୍ଦ୍ର। ଏଠି ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ପାଖରେ ଆବର୍ଜନା ପଡିରହୁଛି। ସ୍ବଛତା ଭିତ୍ତିକ ଜନସଚେତନତା ପାଇଁ ପୋଷ୍ଟର, ବ୍ୟାନର, କାନ୍ଥଲେଖା ସହ ସ୍କୁଲ, କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହାସତ୍ତ୍ୱେ ରାଉରକେଲା ସହରର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁଛି। ଏଥିପାଇଁ କେବଳ ସବୁସ୍ତରରେ ସଚେତନ ହେବାରୁ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ନେଇ ଆରଏମସି ଆୟୁକ୍ତ ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆର୍‌ଏମ୍‌ସି ସହରର ସ୍ବଚ୍ଛତା ଦିଗରେ ସର୍ବଦା ତପତ୍ର। ଯଦି ସହରରେ ସ୍ବଚ୍ଛତା ଦିଗରେ ଅବହେଳା ହେଉଛି ସେ ଦିଗରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଥିଲେ।