ସ୍ଲୋଗାନ୍‌ରେ ସୀମିତ ସ୍ବଚ୍ଛତା ଅଭିଯାନ

ପଟ୍ଟାମୁଣ୍ଡାଇ,୪ା୧୦ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସୋମବାର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ହେଲେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇ ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ତେବେ ପୌରାଞ୍ଚଳର ସ୍ବଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ହୋଇ ରହିଯାଇଛି। ସହର ସାରା କୁଢ଼ କୁଢ଼ ଅଳିଆ ଓ ଆବର୍ଜନା ପଡ଼ି ରହୁଥିବା ବେଳେ ଏହାକୁ ଉଠା ଯାଉ ନ ଥିବା ଦେଖିବାକୁ ମିଳିଛି।
ସହରବାସୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର କିଭଳି ସ୍ବଚ୍ଛ ରହିବ ସେ ନେଇ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି। ଏ ନେଇ ସମସ୍ତ ସରକାରୀ ଅଫିସ ପାଚେରିରେ ଚିତ୍ର ଅଙ୍କାଯିବା ସହ ସ୍ଲୋଗାନ ଲେଖି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ବହୁ ସଂଖ୍ୟକ ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯାଇ ସହରକୁ ଅଳିଆ ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିବା ଏକ ପ୍ରହସନରେ ପରିଣତ ହୋଇଛି। ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡରେ ଗଦା ଗଦା ଅଳିଆ ପଡ଼ି ରହିଛି। ଫଳରେ କାଉ, କୁକୁରଙ୍କ ସହିତ ଅଳିଆ ପ୍ଲାଷ୍ଟିକ ଓ ଅନ୍ୟ ସାମଗ୍ରୀ ଗୋଟାଉଥିବା ଲୋକେ ବି ଆବର୍ଜନାକୁ ଘାଣ୍ଟିବାରେ ଲାଗୁଛନ୍ତି। ଏହାଦ୍ୱାରା ଏବେ ସହରର ଚାରିଆଡେ ରୋଗ ବ୍ୟାପିବା ଭଳି ସ୍ଥିତି ଉପୁଜିଲାଣି। ସହର ସାରା ଡଷ୍ଟବିନ୍‌ ଏବଂ ପୌରାଞ୍ଚଳର ପ୍ରମୁଖ ସ୍ଥାନରେ ଡଷ୍ଟୟାର୍ଡ ସ୍ଥାପନ କରାଯାଇଛି। ଏଥିସହ ସହରର ଡଷ୍ଟବିନ୍‌ ୟାର୍ଡଗୁଡ଼ିକରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ଅଳିଆ ଉଠା ଗାଡ଼ି ମଧ୍ୟ ନିୟୋଜିତ କରାଯାଇଛି। ତଥାପି ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ପଟ୍ଟାମୁଣ୍ଡାଇ ସହର ଆବର୍ଜନା ମୁକ୍ତ ନ ହେବା ଚିନ୍ତାର ବିଷୟ ପାଲଟିଛି। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଆବର୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବିଦ୍ୟୁତ୍‌ ଅଫିସ ନିକଟ ପୋଲ ପାଖ କେନାଲ କଡ଼ରେ ପକା ଯାଉଥିବାରୁ ସେଠାରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହି ରାସ୍ତା ଦେଇ ଲୋକମାନେ ନାକରେ କପଡ଼ା ଦେଇ ଯା’ାଆସ କରୁଛନ୍ତି। ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡଷ୍ଟବିନ୍‌ରେ ପଡୁଥିବା ଅଳିଆ ସବୁ ଆଣି ରସ୍ତାକଡ଼ରେ ଫିଙ୍ଗି ଦେଉଛନ୍ତି। ପରେ କୁକୁର ଓ କାଉ ତାକୁ ନେଇ ରାସ୍ତାଘାଟରେ ପକାଇ ସହରକୁ ଅପରିଷ୍କାର କରିବାରେ ଲାଗିଛନ୍ତି। ସହରର ବିଭିନ୍ନ ଗଳିକନ୍ଦିଠାରୁ ଆରମ୍ଭ କରି ହାଟ ବଜାର ପର୍ଯ୍ୟନ୍ତ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ସାମାଜିକ କର୍ମୀ ମାନସ ବାରିକ କହିଛନ୍ତି, ପୁରୁଣା ପରିବହନ ବିଭାଗ ଭଗ୍ନ ବସ୍‌ଷ୍ଟାଣ୍ଡ ଭିତରେ ମାସ ମାସ ଧରି କୁଢ଼ କୁଢ଼ ଅଳିଆ ଗଚ୍ଛିତ ହୋଇ ରହୁଥିଲେ ସୁଦ୍ଧା ଉଠାଯାଉନାହିଁ। ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ପଡ଼ି ରହୁଛି। କେବଳ ସହର ମୁଖ୍ୟରାସ୍ତାରୁ ଅଳିଆ ହଟାଯାଇ ସହର ଆବର୍ଜନାମୁକ୍ତ ଦର୍ଶାଯାଉଛି। କୋର୍ଟ ପାଖ ଗୋବରୀ ନଦୀରେ ପୁଳା ପୁଳା ଅଳିଆ ପଡି ରହିଛି। ସ୍ବଚ୍ଛତା ଭିତ୍ତିକ ଜନସଚେତନତା ପାଇଁ ପୋଷ୍ଟର, ବ୍ୟାନର, କାନ୍ଥଲେଖା ସହ ସ୍କୁଲ, କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିପାଇଁ କେବଳ ସବୁସ୍ତରରେ ସଚେତନ ହେବାରୁ ଆବଶ୍ୟକତା ରହିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ଅଜିତ୍‌ ନାରାୟଣ ଗିରିଙ୍କୁ ପଚାରିବାରେ ସହରର ସ୍ବଚ୍ଛତା ଦିଗରେ ସର୍ବଦା ପଦକ୍ଷେପ ନିଆଯାଉଛି। ଯଦି ସହରରେ ସ୍ବଚ୍ଛତା ଦିଗରେ ଅବହେଳା ହେଉଛି ସେ ଦିଗରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।