ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ ୨୦୦୯ରେ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବରୁଣାଇ ମୁହାଣଠାରେ ବନ୍ଦର ନିର୍ମାଣ, ୨୦୧୪ରେ ଅଳାଇଲୋଠାରେ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା, ୨୦୧୯ରେ ଆଖଡ଼ାଶାଳୀ ସଂଲଗ୍ନ ମହାନଦୀ କୂଳରେ ନଦୀଭିତ୍ତିକ ବନ୍ଦର ନିର୍ମାଣ, ୨୦୨୪ରେ ବତୀଘରଠାରେ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା, ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବିଭିନ୍ନ ଶିଳ୍ପ କରିଡ଼ର ପ୍ରତିଷ୍ଠା ହେବ ବୋଲି କୁହାଯାଉଥିଲା। ଏପରି କି ବତୀଘରଠାରେ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୦୨୩ ଡିସେମ୍ବର ୧୧ରୁ ୧୩ତାରିଖ ଯାଏ ବତୀଘର, ଖରିନାସୀ ଓ ରାମନଗର ଆଦି ତିନି ମୌଜାରେ ଜନଶୁଣାଣି ଶିବିର ସରିଥିଲା।
ରାଜ୍ୟରେ ଭାଜପା ସରକାର ଗଢିବା ପରେ ମହାନଦୀ କୂଳରେ ଜାହାଜ ନିର୍ମାଣ ଓ ମରାମତି କାରଖାନା ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଡବଲ ଇଞ୍ଜିନ ସରକାରର ଏହି ଘୋଷଣା ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନୂତନ ଆଶା ସଞ୍ଚାର ସୃଷ୍ଟି କରିଛି। ଅପରପକ୍ଷରେ ବିଗତ ଦିନରେ ଶିଳ୍ପ କାରଖାନା ପ୍ରତିଷ୍ଠା ନିମନ୍ତେ ଘୋଷଣା ପରି ହୋଇଯିବନି ତ ବୋଲି ଜିଲାବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
ସେମାନେ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ଆଖଡ଼ାଶାଳୀ ସ୍ଲୁଇସ୍‌, ଭାଟେଣୀଠାରେ ଭୁଶୁଡ଼ିଥିବା ସ୍ଲୁଇସ୍‌, ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ପୁନରୁଦ୍ଧାର ଭଳି ଅନେକ ପ୍ରକଳ୍ପ ଫାଇଲରେ ରହିଯାଇଛି। ତେଣୁ ଭାଜପା ସରକାର କରିଥିବା ଘୋଷଣା କିଭଳି କାର୍ଯ୍ୟକାରୀ ହେବ ଏବଂ ଜିଲାବାସୀ ତାହାର ସୁଫଳ ପାଇବେ ସେ ଦିଗରେ ଉଦ୍ୟମ କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସେମାନେ ଯାହା କୁହନ୍ତି…

କେନ୍ଦ୍ରାପଡ଼ା ଜିଲାରେ କୌଣସି ଶିଳ୍ପ ନ ଥିବାରୁ ଲୋକେ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଡବଲ ଇଞ୍ଜିନ ସରକାର ଜିଲାରେ ଶିଳ୍ପ ପ୍ରତିଷ୍ଠା କରି ଏହି ଧାରାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଏଠାରେ ଜାତୀୟ ଶିପିଂ ବିଲ୍‌ଡିଂ ପଣ୍ୟବାହୀ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ପରିବହନ, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ମହାନଦୀକୂଳ ନିପାଣିଆ ଓ ବଡ଼ଟୁବିଠାରେ ଗତ ଜୁନ ୨୪ରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଯୁଗ୍ମ କମିଟି ପ୍ରାଥମିକ ସର୍ଭେ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟ ଅନୁସାରେ ଶିଳ୍ପ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଜିଲାବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ କରିବ।
– ଡ. ଦୁର୍ଗା ପ୍ରସନ୍ନ ନାୟକ, ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ଶିଳ୍ପକୁ ନେଇ ବାରମ୍ବାର ଅନିଶ୍ଚିତତା ଜିଲାବାସୀଙ୍କୁ ବ୍ୟତିବ୍ୟସ୍ତ କରୁଛି। କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁ। ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେଉ। ଭାଜପା ସରକାର ଜିଲାବାସୀଙ୍କ ଶିଳ୍ପ ପ୍ରତିଷ୍ଠା ଆଶା ପୂରଣ କରୁ। ପୋସ୍କୋ ଶିଳ୍ପର ପିସି କଳଙ୍କ ପୁନରାବୃତ୍ତି ନ ହେଉ।
-ଭୁବନ ମୋହନ ଜେନା,
ବରିଷ୍ଠ ଭାଜପା ନେତା
ଜିଲାରେ ଶିଳ୍ପ ପ୍ରତିଷ୍ଠା ଘୋଷଣା ସ୍ବାଗତଯୋଗ୍ୟ। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମୟରେ ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୩ ମୌଜାରେ ଜନଶୁଣାଣି ଶିବିର ସରିଥିଲା। ହେଲେ ଭାଜପା ସରକାର ଗଠନ ପରେ ସେହି ପ୍ରକଳ୍ପ ଆନ୍ଧ୍ରପ୍ରଦେଶକୁ କାହିଁକି ଚାଲିଗଲା ତାହାର ଉତ୍ତର ଭାଜପା ନେତୃବର୍ଗ ଓ ରାଜ୍ୟ ସରକାର ରଖିବା ଆବଶ୍ୟକ।
-ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ

ଜିଲାରେ ଜାହାଜ ନିର୍ମାଣ ଓ ମରାମତି କାରଖାନା ପ୍ରତିଷ୍ଠା ପାଇଁ ପ୍ରଶାସନିକସ୍ତରରେ ଉଚ୍ଚସ୍ତରୀୟ ଯୁଗ୍ମ କମିଟି ପ୍ରାଥମିକ ସର୍ଭେ ୨୦୨୬ ମସିହା ଜୁନ ୨୪ତାରିଖରେ ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି କି ନାହିଁ ସେ ସମ୍ପର୍କରେ ଅବଗତ ନାହିଁ।
-ରଘୁରାମ ଆର୍‌ ଆୟାର, ଜିଲାପାଳ, କେନ୍ଦ୍ରାପଡ଼ା

Dharitri – Odisha’s No.1 Odia Daily

 

Share