ନୋଟିସରେ ସୀମିତ କାର୍ଯ୍ୟାନୁଷ୍ଠାନ

ବରୀ,୧୯ା୭(ଡି.ଏନ.ଏ.):ସରକାରୀ ବଜାର ଗୃହକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କୁ ବରୀ ବ୍ଲକ ପ୍ରଶାସନ ନୋଟିସ କରି ୭ଦିନ ଭିତରେ ଗୃହ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ୭ଦିନ ମଧ୍ୟରେ ଗୃହ ଖାଲି ନ କଲେ ପରବର୍ତ୍ତୀ ସମୟରେ ତାହାକୁ ଭାଙ୍ଗି ଦିଆଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ମାତ୍ର ଉକ୍ତ ନିର୍ଦ୍ଦେଶକୁ ୭ ଦିନରୁ ଊର୍ଦ୍ଧ୍ୱ ବିତିଥିଲେ ମଧ୍ୟ ଗୃହଗୁଡ଼ିକ ଏବେବି ଜବରଦଖଲରେ ରହିଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେବଳ ନୋଟିସରେ ସୀମିତ ବୋଲି ମତପ୍ରକାଶ ପାଇଛି।
ଅନୁସାରେ, ବରୀ ବ୍ଲକ୍‌ ଅଧୀନ ଦରଘା ଛକରେ ଥିବା ଗୃହ ମଧ୍ୟରୁ ଧୀରେନ୍ଦ୍ର ସାହୁ ୧ ନମ୍ବର, ରମାକାନ୍ତ ମଲିକ ୫ ନମ୍ବର ଓ ମନୋରଞ୍ଜନ ଦାଶ ୪ କୋଠରିକୁ ଜବରଦଖଲ କରିଛନ୍ତି। ସେହିପରି ଉତ୍ତର ବରୀଠାରେ ଥିବା ଗୃହ ମଧ୍ୟରୁ ୧,୨, ଓ ୩ ନମ୍ବର କୋଠରିକୁ ପ୍ରଶାନ୍ତ ଯାଦବ ଜବରଦଖଲ କରି ରଖିଛନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ସରପଞ୍ଚ ସୋନାଲି ସିଂ ବରୀ ବିଡିଓଙ୍କୁ ଜଣାଇଥିଲେ। ଏହାକୁ ନେଇ ବିଡିଓ ଜବରଦଖଲକାରୀଙ୍କୁ ଘର ଛାଡିବା ପାଇଁ ନୋଟିସ୍‌ ଜାରି କରିଛନ୍ତି। ଚିଠି ନଂ.୨୫୪୫ ତା ୦୫ା୦୭ା୨୦୨୨ରେ ଉକ୍ତ ନୋଟିସ ଜାରି କରାଯାଇଛି। ତେବେ ଜବରଦଖଲକାରୀ ସରକାରୀ ନିୟମକୁ ଉଲ୍ଲଙ୍ଘନ କରିବା ପରେ ବି ବ୍ଲକ୍‌ ପ୍ରଶାସନ ତରଫରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପଛରେ ରାଜନୈତିକ ଚାପ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବରୀ ଭାରପ୍ରାପ୍ତ ବିଡିଓ ମାନସ ରଞ୍ଜନ ଭୋଇଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରୀ ନିୟମ ଉଲ୍ଲଂଘନ ଏକ ଧର୍ତ୍ତବ୍ୟ ଅପରାଧ। ନୋଟିସ ଜାରି ପରେ ଯେଉଁମାନେ ଗୃହ ଖାଲି କରିନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ବ୍ଲକ୍‌ ପ୍ରଶାସନର ନୋଟିସ ମୁତାବକ ଜବରଦଖଲ କରିଥିବା ଯାଦବଙ୍କୁ ପଚାରିବାରେ ସେ କୁହନ୍ତି, କୋର୍ଟର ଆଶ୍ରୟ ନେଇଛି। କୋର୍ଟର ନିର୍ଦ୍ଦେଶ ନ ଆସିବା ପୂର୍ବରୁ ଏଭଳି ନୋଟିସ ଜାରି କରାଯିବା ସମ୍ପୂର୍ଣ୍ଣ ବେଆଇନ। ସେହିପରି ଜବରଦଖଲକାରୀ ମଲ୍ଲିକ କହିଛନ୍ତି, ସରକାରୀ ନିୟମ ମୁତାବକ କୋଠରି ଭଡ଼ା ସୂତ୍ରରେ ନିଆଯାଇଛି। ଏଥିରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ।