ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍‌, ବିଜୁଳି ମାରିବାରୁ ଘଟିଲା ଏମିତି

ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍‌ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ ସେଲ୍‌ଫି ନେଉଥିବା ବେଳେ ବିଜୁଳି ମାରିବାରୁ ୩ ଭାଇ ଭଉଣୀ ତଳେ ପଡ଼ି ବେହୋସ ହୋଇଗଲେ। ଯେତେବେଳେ ହୋସ୍‌ ଆସିଲା ସେତେବେଳେ ଦେଖିଲେ ସେମାନେ ହସ୍ପିଟାଲ ବେଡ୍‌ରେ। ଏହି ଘଟଣା କେମିତି ହେଲା ସେମାନେ ନିଜେ ବି ଜାଣିନାହାନ୍ତି।

ଏପରି ଘଟଣା ଘଟିଛି ଇଂଲଣ୍ଡର ଇଷ୍ଟ ମୌଲେସିରେ। ୩ ଭାଇ ଭଉଣୀ ରାଚେଲ, ଇସୋବେଲ୍‌ ଏବଂ ଆଣ୍ଡ୍ରିୟୁ ଏକ ଗଛ ତଳେ ଠିଆ ହୋଇ ସେଲ୍‌ଫି ନେଉଥିଲେ। ଏହି ସମୟରେ ବିଜୁଳି ମାରିବାରୁ ୩ ଜଣ ବେହୋସ ହୋଇ ପଡ଼ିଯାଇଥିଲେ। ଇସୋବେଲ୍‌ କୁହନ୍ତି, ଆମେ ଭାଇଭଉଣୀ ମିଶି ମାଉସୀଙ୍କ ଘରକୁ ଯାଉଥିଲୁ। ଏହି ସମୟରେ ପରିସ୍ରା ଲାଗିଲା। ତେଣୁ ଭାଇ ଭଉଣୀ ତିନିଜଣ ଏକ ଗଛ ମୂଳେ ଠିଆ ହେଲୁ। ଖୁସି ହୋଇ ସେଲ୍‌ଫି ନେଉଥିଲୁ। ବର୍ଷାରେ ଭିଜି ଫଟୋ ବି ଉଠାଇଲୁ। ହଠାତ୍‌ ବିଜୁଳ ମାରିବାରୁ ମୁଁ ତଳେ ପଡ଼ିଗଲି। ସେହିପରି ରେଚେଲ କୁହନ୍ତି, ତାଙ୍କ ଜଙ୍ଘ ଏବଂ ପେଟ ଜଳି ଯାଇଛି। ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ସୌଭାଗ୍ୟବଶତଃ ତିନିଜଣ ଯାକ ବଞ୍ଚି ଯାଇଛନ୍ତି। ଏବେ ସେମାନଙ୍କୁ ସେଣ୍ଟ୍‌ ଜଜ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ରାଚେଲ କୁହନ୍ତି, ମୋ ଭଉଣୀ ହାତରେ ଟାଇଟେନିୟମ ପ୍ଲେଟ୍‌ ଲାଗିଥିବାରୁ ବହୁତ ଗରମ ଥିଲା। ତେଣୁ ତାଙ୍କ ଦେହ ଅଧିକାଂଶ ଜଳିଗଲା। ଈଶ୍ୱରଙ୍କ ଧନ୍ୟବାଦ ଆମ ଭାଇ-ଭଉଣୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।

Share