ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା ସାଙ୍ଗକୁ ବଜ୍ରପାତର ଶିକାର ହୋଇ ଜଣେ ୨୫ ବର୍ଷୀୟ ଯୁବକଙ୍କ ପ୍ରାଣହାନି ଘଟିଛି। ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ଅଣ୍ଡାରାକାଞ୍ଚ ଥାନା ଅଧୀନସ୍ଥ କୋଡ଼ିପାରି ଗ୍ରାମ ପଞ୍ଚାୟତ ବର୍ଜାଖାଲ ଗ୍ରାମ ନିକଟରେ। ମୃତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସ୍ଥିତ ଦୂରମୁସି ଗାଁର ମଞ୍ଚିତ ମାଝୀ (୨୫)। ସେ ନାନ୍ଦୁ ମାଝୀଙ୍କ ପୁତ୍ର ଥିଲେ। ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ଗାଁରେ ଏବେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମଞ୍ଚିତଙ୍କ ବଡ଼ ଭାଇ ଧନସିଂ ମାଝୀ କୁକୁଡ଼ା ଆଣିବା ପାଇଁ କାଶୀପୁର ଥାନା ଅନ୍ତର୍ଗତ ଦଙ୍ଗାସିଲ ଗ୍ରାମକୁ ଯାଇଥିଲେ। ମାତ୍ର କୌଣସି କାରଣ ବଶତଃ ସେଠାରୁ ଫେରିବାରେ ବିଳମ୍ବ ହେବାରୁ ସାନଭାଇ ମଞ୍ଚିତ ତାଙ୍କୁ ଖୋଜିବା ପାଇଁ ଦୂରମୁସି ଗ୍ରାମରୁ ବାହାରିଥିଲେ। ବର୍ଜାଖାଲ ଗ୍ରାମ ନିକଟରେ ମଞ୍ଚିତ ତାଙ୍କ ବଡ଼ ଭାଇ ଧନସିଂଙ୍କୁ ଭେଟିଥିଲେ ଏବଂ ଏହାପରେ ଉଭୟ ଭାଇ ଏକାଠି ହୋଇ ଘରକୁ ଚାଲି ଚାଲି ଫେରୁଥିଲେ। ଠିକ୍ ସେହି ସମୟରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ପବନ, ବର୍ଷା ଓ ଘଡ଼ଘଡ଼ି ଆରମ୍ଭ ହୋଇଯାଇଥିଲା।

ଉଭୟ ଭାଇ ବର୍ଜାଖାଲ ଗ୍ରାମର ଏକ ସେମେଲ ଗଛ ପାଖ ଦେଇ ଆସୁଥିବା ବେଳେ ସେଠାରେ ହଠାତ୍ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତର ସିଧାସଳଖ ଶିକାର ହୋଇ ମଞ୍ଚିତ ମାଝୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ଖବର ପାଇ ଥୁଆମୂଳ ରାମପୁର ବ୍ଲକ୍ କଂଗ୍ରେସ ସଭାପତି ଦେବେନ୍ଦ୍ର ନାୟକ, ଆଇନଜୀବୀ ମନୋରଞ୍ଜନ ନାଏକ ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସହାୟତାର ହାତ ବଢ଼ାଇଥିଲେ।

ଏହାପରେ ମୃତକଙ୍କ ବଡ଼ ଭାଇ ଧନସିଂ ମାଝୀଙ୍କ ସହ ଅଣ୍ଡାରାକାଞ୍ଚ ଥାନା/ଫାଣ୍ଡିକୁ ଯାଇ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ  ବ୍ୟବଚ୍ଛେଦ ନିମନ୍ତେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏନେଇ କାଶୀପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏସଆଇ (SI) ଦୟାନିଧି ଭୋଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ପରିବାରର ଏକମାତ୍ର ରୋଜଗାରିଆ ଯୁବକଙ୍କୁ ହରାଇ ସ୍ତ୍ରୀ ଓ ୬ ବର୍ଷର ଶିଶୁ ପୁତ୍ର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବାରୁ, ସରକାରୀ ନିୟମ ଅନୁଯାୟୀ ବିପନ୍ନ ପରିବାରକୁ ତୁରନ୍ତ ବଜ୍ରପାତ ଜନିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share