ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

 

ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍‌ ବର୍ଷା ଓ ପବନ ସହ ହୋଇଥିବା ଭୟଙ୍କର ବଜ୍ରପାତରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଡୁମେରପଦର ଗ୍ରାମର ଭାନୁମତୀ ମାଝୀ (୫୦), ହୁଲ ମାଇ ମାଝୀ (୪୦) ଏବଂ ସୁମିତ୍ରା ମାଝୀ (୩୫)। ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ଏହି ତିନି ମହିଳା ଡଙ୍ଗର ଖୋଳିବା ସହ ପୋଡୁ ଚାଷ କାମ ପାଇଁ ନୁନ ପାଣି ପାହାଡ଼କୁ ଯାଇଥିଲେ। ସେହି ସମୟରେ ହଠାତ୍‌ ପାଗ ପରିବର୍ତ୍ତନ ହେବା ସହ ସାମାନ୍ୟ ପବନ ଓ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ନିକଟରେ ଥିବା ଏକ ବରଗଛ ମୂଳେ ଆଶ୍ରୟ ନେଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେହି ସମୟରେ ଗଛ ଉପରେ ବଜ୍ରପାତ ହେବା ଫଳରେ ତିନିଜଣ ଯାକ ମହିଳା ଗୁରୁତର ଆଘାତପ୍ରାପ୍ତ ହୋଇ ତଳେ ଅଚେତ ହୋଇ ପଡ଼ିଥିଲେ। ବଜ୍ରପାତର ତୀବ୍ରତା ଯୋଗୁ ସୁମିତ୍ରା ମାଝୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି। ଏହି ସମ୍ପର୍କରେ ଖବରପାଇ ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ ଏବଂ ଅଚେତ ଅବସ୍ଥାରେ ଥିବା ତିନି ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ଏକ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ଶକ୍ତି ସାଗର ଗୁରୁତର ଥିବା ମହିଳାମାନଙ୍କର ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କର ଚିକିତ୍ସା ଜାରି ରହିଛି।

Odisha’s No.1 Odia Daily

Share