ମୋବାଇଲରେ କଥା ହେବାବେଳେ ବଜ୍ରପାତ, ଯୁବକ ମୃତ, ଜଣେ ଗୁରୁତର

ଧର୍ମଶାଳା/କାଏମା,୧୯ା୯(ବଟକୃଷ୍ଣ ପରିଡା/ ଶିବପ୍ରସାଦ ମହାନ୍ତି): ମୋବାଇଲରେ କଥାହେବାବେଳେ ବଜ୍ରପାତ ହେବାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗ୍ରାମର ନୀଳମଣି ନାୟକଙ୍କ ସାନପୁଅ ମନୋରଞ୍ଜନ(୧୮) ଓ ଗୁରୁତର ହେଲେ ଉକ୍ତ ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୧୮)। ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ସୋମବାର ଅପରାହ୍ନ ୫ଟାରେ ବର୍ଷା ହେଉଥିଲା। ବର୍ଷା ଛାଡ଼ିଯିବା ପରେ ମନୋରଞ୍ଜନ ଓ ମନୋଜ ସାଙ୍ଗହୋଇ ଚଇନିହୁଡାସ୍ଥିତ ବିଲ ପାଟରେ ବସି ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ମନୋରଞ୍ଜନ ଟଳି ପଡ଼ିଥିଲେ। ତାଙ୍କ ମୋବାଇଲଟି ଭାଙ୍ଗିରୁଜି ଯାଇଥିଲା। ମନୋଜଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମନୋରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।