ବଜ୍ରପାତ ସୁରକ୍ଷା ଓ ବିକଳ୍ପ ବ୍ୟବସ୍ଥା

ବର୍ଷା ସମୟରେ ବଜ୍ରପାତ ଏକ ସ୍ବାଭାବିକ ଓ ଆକସ୍ମିକ ପ୍ରକ୍ରିୟା। କିନ୍ତୁ ଏହା କେଉଁ ସ୍ଥାନକୁ ମାରିବ, କେତେବେଳେ ମାରିବ ତାହା ଆକଳନ କରିବା ଅସମ୍ଭବ। ସାଧାରଣତଃ ଉଚ୍ଚ ବିଦ୍ୟୁତ ସୁପରିବାହୀ ବସ୍ତୁ ପ୍ରତି ଏହା ବିଶେଷ ଭାବରେ ଆକର୍ଷିତ ହୋଇଥାଏ। ଆମ ରାଜ୍ୟରେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବଜ୍ରପାତରେ ଅନେକ ଧନଜୀବନ ହାନି ଘଟିଥାଏ। ଚଳିତ ବର୍ଷ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଗୋଟିଏ ଦିନରେ ପ୍ରାୟ ୬୧,୦୦୦ ବିଜୁଳି ମାରିବା ସହିତ ସେଥିମଧ୍ୟରୁ ପ୍ରାୟ ୨୫,୦୦୦ ବାଦଲରୁ ଭୂମିକୁ ବଜ୍ରପାତ ହୋଇଥିଲା। ଏହି ଘଟଣାରେ ପାଖାପାଖି ୧୪ ଲୋକ ମରଣମୁଖରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ ବିଲରେ କାମ କରୁଥିବା ଚାଷୀ, ପଶୁପାଳକ ଓ ବାଟୋଇ। ଗବେଷଣାରୁ ଜଣାପଡ଼ିଛି ଯାନବାହନ ଓ କଳକାରଖାନା ଜନିତ ପ୍ରଦୂଷଣରୁ ସୃଷ୍ଟ ପ୍ରଦୂଷିତ କଣିକା, ବାୟୁମଣ୍ଡଳର ଆଦ୍ରତା ଓ ତାପମାତ୍ରା ବୃଦ୍ଧି ଯୋଗୁ ବଜ୍ରପାତର ମାତ୍ରା ଓ ଶକ୍ତି ଅଧିକ ପ୍ରଖର ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠେ ଏହାର କିଛି ପ୍ରତିକାର ଅଛି ନା ନାହିଁ।
ଅନେକ ଲୋକଙ୍କର ଧାରଣା ଅଛି ଯେ, ଏହା ଏକ ଦୈବୀ ଦୁର୍ବିପାକ ଘଟଣା, ତେଣୁ ଯେତେବେଳେ ଯାହାର ମରିବାର ଥିବ ମରିବା ତ ଡରିବା କହିଁକି। ଏପରି ଭାବୁଥିବା ଲୋକେ ବଜ୍ରପାତ ବେଳେ ନିରାପଦ ସ୍ଥାନକୁ ନ ଯାଇ ଭୁଲ୍‌ କରିବସନ୍ତି। ଏହା ବ୍ୟତୀତ ଅନେକ ସମୟରେ ବିଲବାଡି, ଜଙ୍ଗଲରେ କାମ କରୁଥିବା ଓ ନିକାଞ୍ଚନ ରାସ୍ତାରେ ଯାଉଥିବା ଲୋକ ବଜ୍ରପାତ ସହିତ ବର୍ଷା ଆସିଲେ ତୁରନ୍ତ ନିରାପଦ ଆଶ୍ରୟସ୍ଥଳୀଟିଏ ପାଇପାରନ୍ତି ନାହିଁ। ତେଣୁ ଗହୀର ବିଲରେ କାମ କରୁଥିବା ଅନେକ ଚାଷୀଭାଇ ଏହି ବିପଦର ଶିକାର ହୁଅନ୍ତି। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ ଏଭଳି ସ୍ଥିତିରେ ଥିବା ଲୋକମାନେ ଯଦି ଦୂରରୁ ଘଡ଼ଘଡ଼ି ସହିତ ବର୍ଷା ଆସିବାର ସୂଚନା ପାଆନ୍ତି ତେବେ ତୁରନ୍ତ ନିଜ ଘର କିମ୍ବା କୌଣସି ନିରାପଦ ସ୍ଥାନ ଯେପରିକି ନିକଟସ୍ଥ କୌଣସି ଘର, ଧାତବ ଛାତଥିବା ଯାନ ଆଦିରେ ଆଶ୍ରୟ ନିଅନ୍ତୁ ଓ କଦାପି କୌଣସି ଗଛ ମୂଳରେ ଆଶ୍ରୟ ନିଅନ୍ତୁ ନାହିଁ। ଯଦି କିଛି ଆଶ୍ରୟ ନ ମିଳୁଛି ତେବେ ଉଚ୍ଚ ଜାଗାରେ ନ ରହି ସବୁଠାରୁ ନୀଚା ବା ଖାଲୁଆ ପାଣି ଜମି ନ ଥିବା ଜାଗା ଦେଖି ଆଣ୍ଠୁମାଡ଼ି ତଳକୁ ମୁଣ୍ଡକରି ବସିଯାଆନ୍ତୁ ଓ ଅଧିକ ଲୋକ ଥିଲେ ପରସ୍ପର ଲାଗିକି ନ ରହି କିଛି ଦୂରତା ବଜାୟ ରଖନ୍ତୁ।
ଏବେ ଅସନ୍ତୁ ଆଲୋଚନା କରିବା ଏହି ବିପଦକୁ କିପରି ପ୍ରଶମିତ କରିପାରିବା। ପ୍ରଥମତଃ ବାୟୁ ପ୍ରଦୂଷଣ କମ୍‌ କରିବାକୁ ଉଭୟ ବ୍ୟକ୍ତିଗତ, ସାମୂହିକ ଓ ସରକାରୀ ଭାବରେ ଆବଶ୍ୟକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ଏହା ବ୍ୟତୀତ ଏହି ବିପର୍ଯ୍ୟୟକୁ ହାଲୁକା ଭାବରେ ନ ନେଇ ବଜ୍ରପାତ ସମୟରେ ନିରାପଦ ସ୍ଥାନରେ ରହିବା ଉଚିତ। ଏବେ ସରକାରଙ୍କ ତରଫରୁ ବିଲ ଗହୀରରେ ତାଳଗଛ ରୋପଣ କରିବାକୁ ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, ଯାହାକୁ କାର୍ଯ୍ୟକାରୀ କରିବାକୁ ଲୋକମାନଙ୍କୁ ଆବଶ୍ୟକ ସହଯୋଗ ଓ ସୁବିଧା ଯୋଗାଇ ଦେବାକୁ ଆଗେଇ ଅସିବାକୁ ପଡ଼ିବ। ଏହି ଯୋଜନାରେ ତାଳଗଛଗୁଡ଼ିକ ବଡ଼ ହୋଇ ଲୋକଙ୍କୁ ନିରାପତ୍ତା ଯୋଗାଇବା ଏକ ସମୟସାପେକ୍ଷ କାର୍ଯ୍ୟ ହୋଇଥିବାରୁ ଅନ୍ୟାନ୍ୟ ବିକଳ୍ପ ପନ୍ଥା ବିଚାରକୁ ନିଆଯାଇପାରେ। ଯେପରିକି ବଡ଼ ବଡ଼ ଗହୀର, ନିକାଞ୍ଚନ ରାସ୍ତା ଓ ନଦୀଘାଟଗୁଡ଼ିକରେ ଆବଶ୍ୟକ ଅନୁଯାୟୀ ବୈଜ୍ଞାନିକ ଅନୁଶୀଳନ କରି କିଛି କିଛି ବ୍ୟବଧାନରେ ଠିକ୍‌ ଉଚ୍ଚତାର ଧାତବ ଖମ୍ବ ପୋତାଯାଇପାରିବ, ଯାହା ବଜ୍ରପାତକୁ ନିଜ ଆଡକୁ ଟାଣିନେଇ ଲୋକଙ୍କୁ ସୁରକ୍ଷିତ ରଖିପାରିବ। ଏହା ବ୍ୟତୀତ ବିଲ ଗହୀର, ରାସ୍ତାକୁ ଲାଗିକରି ଥିବା ସବୁଜବଳୟ ମଧ୍ୟରେ କିଛି କିଛି ବ୍ୟବଧାନରେ ରହିଥିବା ସୁଉଚ୍ଚ ବୃକ୍ଷଗୁଡ଼ିକରେ ଉପରୁ ତଳଯାଏ ଏକ ବିଦ୍ୟୁତ ସୁପରିବାହୀ ଧାତବ ତାର ଅଗ୍ରରେ ଧାତବ ଛଡ଼ ଲଗାଇ ଭୂମି ମଧ୍ୟରେ ଆର୍ଥିଂ କରାଯାଇପାରିଲେ ତାହା ମଧ୍ୟ ବଜ୍ରପାତ ବିପଦରୁ ଉଭୟ ବୃକ୍ଷରାଜି ଓ ଧନଜୀବନକୁ ସୁରକ୍ଷା ଯୋଗାଇପାରିବା। ଅନ୍ୟ ଏକ ପନ୍ଥା ହେଲା ଏପରି ବିପଦପୂର୍ଣ୍ଣ ନିକାଞ୍ଚନ ସ୍ଥାନଗୁଡ଼ିକରେ ଠାକୁ ଠା ଆବଶ୍ୟକ ମୁତାବକ ବଜ୍ରପାତ ନିରୋଧୀ ଆଶ୍ରୟ ତିଆରି କରିବା (ଫାରାଡେ କେଜ୍‌ ନିୟମ ଅନୁପାଳନ କରି), ଯେଉଁଠାରେ ଲୋକମାନେ ଏଭଳି ଦୁର୍ବିପାକ ସମୟରେ ସୁରକ୍ଷିତ ରହିପାରିବେ। ସ୍କୁଲ, କଲେଜ, ଉଚ୍ଚ ଅଟ୍ଟାଳିକା ଓ ଲୋକମାନେ ନିଜ ବାସଗୃହରେ ପର୍ଯ୍ୟାପ୍ତ ଆର୍ଥତ୍ଂ ବ୍ୟବସ୍ଥା କରିବା ସହିତ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଇପାରିଲେ ବଜ୍ରପାତରୁ ବିଶେଷ ସୁରକ୍ଷା ମିଳିପାରିବ। ଏହିସବୁ ଯୋଜନାକୁ ଗବେଷଣାତ୍ମକ ପ୍ରକଳ୍ପ ଭାବରେ ପ୍ରଥମେ କିଛି ବଜ୍ରପାତପ୍ରବଣ ଜିଲା କିମ୍ବା ବ୍ଲକ୍‌ରେ ଆରମ୍ଭକରି ଏହାର ଫଳାଫଳକୁ ତର୍ଜମା କରି ଅନ୍ୟାନ୍ୟ ଅଞ୍ଚଳରେ ପରିବ୍ୟାପ୍ତ କରାଯାଇପାରିବ।
ଉପକୂଳ ଅଞ୍ଚଳରେ ବାରମ୍ବାର ବାତ୍ୟା ହେବା ଦ୍ୱାରା ଏହାର ପ୍ରଭାବରେ ବହୁତ ଉଚ୍ଚ ଓ ଘଞ୍ଚ ଗଛସବୁ ଉପୁଡି ପଡ଼ିବା ଯୋଗୁ ବଜ୍ରପାତ ମଣିଷ, ବାସଗୃହ ଓ ଗୃହପାଳିତ ପଶୁଗୁଡ଼ିକୁ ବେଶି ପ୍ରଭାବିତ କରୁଛି। ତେଣୁ ବାସଗୃହ ଚାରିପାଖରେ ନଡ଼ିଆ, ତାଳ, ଆମ୍ବ, ପଣସ ଆଦି ଉଚ୍ଚ ଗଛ ଲଗାଇବା ସହିତ ସାମାଜିକ ବନୀକରଣ ଏହି ବିପଦରୁ ପ୍ରଶମିତ କରିବାର ଏକ ଗୁରୁତ୍ୱପୁର୍ଣ୍ଣ ବିକଳ୍ପ । ଲୋକେ ଗୃହପାଳିତ ପଶୁ ବିଶେଷକରି ଗାଈ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କୁ ବଜ୍ରପାତ ସମୟରେ ଗୁହାଳଘରେ ବାନ୍ଧି ରଖିବା ଶ୍ରେୟସ୍କର। ନିରାପଦ ସ୍ଥାନରେ ଥିଲେ ବର୍ଷା ଛାଡ଼ିଗଲେ ମଧ୍ୟ ଶେଷ ଘଡ଼ଘଡ଼ି ଶୁଣିବାର ଅତିକମ୍‌ରେ ୨୦ମିନିଟ୍‌ ପରେ ପାରିପାର୍ଶ୍ୱିକ ପରିସ୍ଥିତି ଦେଖି ବାହାରକୁ ବାହାରିବା ଉଚିତ। ବଜ୍ରପାତ ସମୟରେ ପାଣି ମଧ୍ୟରେ ରୁହନ୍ତୁ ନାହିଁ, କୌଣସି ଧାତବ ବସ୍ତୁ ବା ବୈଦ୍ୟୁତିକ ସାମଗ୍ରୀକୁ ଛୁଅନ୍ତୁ ନାହିଁ ଓ ଏହି ସମୟରେ ମୋବାଇଲ ଫୋନ୍‌ ବ୍ୟବହାର ନ କରିବା ଭଲ। ଘରେଥିଲେ କବାଟ, ଝରକା ବନ୍ଦ ରଖନ୍ତୁ ଓ ଘର ବାରଣ୍ଡା ଆଦିରେ ବସନ୍ତୁ ନାହିଁ।
ଏହିସବୁ ତଥ୍ୟ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ବଜ୍ରପାତରୁ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧିକରି ସେମାନଙ୍କ ମନରେ ଥିବା ଭ୍ରମାତ୍ମକ ଧାରଣାକୁ ଦୂର କରିବା ଅପରିହାର୍ଯ୍ୟ। ମନେରଖିବା ଉଚିତ ଯେ ବିପର୍ଯ୍ୟୟ ସମୟରେ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଅପେକ୍ଷା ଏହାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଶ୍ରେୟସ୍କର।

  • ରିତେଶ କୁମାର ଶିଶୁ
    ସାଇଲୋ, ବଡ଼ବିଲ, କଟକ
    ମୋ- ୮୦୧୮୮୩୪୭୩୪

Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri