ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ ତରଳୁଛି। ଯାହାକି ପରିବେଶବିତ୍ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରବାହ ତାପମାତ୍ରା ବୃଦ୍ଧି ପାଇଁ ଦକ୍ଷିଣ ମୌସୁମୀ ବାୟୁ ଅନିୟମିତତା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀମାନେ ସତର୍କ ସୂଚନା ଦେଇଛନ୍ତି। ଫଳରେ ପୂର୍ବାପେକ୍ଷା କାଳବୈଶାଖୀ ଝଡ଼ ସହ ବଜ୍ରପାତ ଯଥେଷ୍ଟ ବୃଦ୍ଧି ପାଇଛି।
ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ପରିମାଣରେ ତାଳ, ନଡ଼ିଆ, ଖଜୁରି ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଛି। ବତୀଘର, ଜମ୍ବୁ, ଖରୀନାଶି, ରାମନଗର, ପେଟଛେଲା, ବଉଳକଣି, ସୁନିତି, ଗଗୁଆ, କେବି ଦାଣ୍ଡୁଆ, ବାରଡ଼ାଙ୍ଗ, ମହାକାଳପଡା, ବରକନ୍ଧା, ମଙ୍ଗଳପୁର, ତେର ଗାଁ, ଯଦୁପୁର, କରଞ୍ଜ, ଗଡ଼ରୋମିତ, ବଡକୂଳ, କରଞ୍ଜ, ଦେଉଳିପଡ଼ା, ବିଜୟନଗର, ବଳିପାଳ, ନାଞ୍ଜୁରା, ତିଖିରି, ଅମେଇପାଳ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ତାଳ, ନଡ଼ିଆ, ଖଜୁରି ଓ ଅନ୍ୟାନ୍ୟ ଉଚ୍ଚଗଛ ରହିଛି। ଏହା ସତ୍ତ୍ୱେ ବଜ୍ରପାତ ଘଟି ଗତ ୧୦ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଘଟି ମୃତ୍ୟୁ ଘଟିଥିବା ତହସିଲ ଅଫିସ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଚାଷ ଜମିରେ ବଜ୍ରପାତରେ ଅନେକ ଚାଷୀଙ୍କ ଜୀବନ ଯାଉଛି।
ଅପରପକ୍ଷରେ ବାଡ଼ିବଗିଚା, ଖୋଲା ପଡ଼ିଆ, ସରକାରୀ ଜମି, ରାସ୍ତା ପାର୍ଶ୍ୱରେ ତାଳ, ନଡ଼ିଆ, ଖଜୁରି ଗଛ ରୋପଣ କରାଗଲେ ବଜ୍ରପାତଜନିତ ଅଘଟଣ ହଟିବ ବୋଲି ପରିବେଶବିତ୍ ସମରେନ୍ଦ୍ର ମାହାଳି, ସୁବାସ ସ୍ବାଇଁ, ବିରଞ୍ଚି ନାରାୟଣ ଦାସ କହିଛନ୍ତି। ଏହି ସବୁ ଗଛର ଗଣ୍ଡିରେ ଜଳୀୟ ଅଂଶ ରହିଥିବାରୁ ବଜ୍ରପାତ ସିଧାସଳଖ ମାଟି ତଳକୁ ଯାଇଥାଏ। ଫଳରେ ଆଖପାଖ ଅଞ୍ଚଳରେ କ୍ଷତିଗ୍ରସ୍ତ ସମ୍ଭାବନା ରହେ ନାହିଁ ବୋଲି ସେମାନେ କହିଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ପ୍ରଶାସନ ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳର ୪୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଛାତ ଉପରେ ବଜ୍ରପାତ ନିରୋଧୀ ଯନ୍ତ୍ର ସ୍ଥାପନ କରାଯାଇଛି। ଏହା ସତ୍ତ୍ୱେ ବଜ୍ରପାତଜନିତ ହ୍ରାସ ନ ହେବା ଚିନ୍ତାର କାରଣ ହୋଇଛି।