ବଜ୍ରକବଚ ଓ ବାଇଚଢ଼େଇ

ଦିନକୁ ଦିନ ଘାତକ ହେବାରେ ଲାଗିଛି ବଜ୍ରପାତ। ରାଜ୍ୟରେ ଉଦ୍‌ବେଗଜନକ ଭାବରେ ବଢୁଛି ତଜ୍ଜନିତ ମୃତ୍ୟୁସଂଖ୍ୟା। ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ପ୍ରତିବର୍ଷ ଦେଶରେ ହାରାହାରି ୨୫ଶହ ଲୋକଙ୍କ ଜୀବନ ଯାଉଛି ବଜ୍ରପାତରେ। ଦେଶର ବଜ୍ରପାତ ମୃତ୍ୟୁରେ ଏବେ ଓଡ଼ିଶା ରହିଛି ସବୁଠୁ ଆଗରେ। ସରକାରୀ ତଥ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ ୧୬୨୫ ଜୀବନ ଗଲାଣି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ ହାର ବେଶି। କାରଣ ଏଥିରେ ବେଶି ପ୍ରଭାବିତ ହେଉଛନ୍ତି ବିଲରେ କାମ କରୁଥିବା କୃଷକ, ଗଛ ତଳେ ଆଶ୍ରୟ ନେଇଥିବା ପଥଚାରୀ ଓ କୁଡିଆରେ ରହୁଥିବା ଗରିବ ଶ୍ରେଣୀର ଲୋକ।
ବଜ୍ରପାତର ବିଭୀଷିକା ଏତେ ଭୟଙ୍କର ଯେ କେହି କିଛି ବୁଝିବା ଆଗରୁ ଚାଲିଯାଏ ଜୀବନ। ଜଳିଯାଏ ଗଛବୃଚ୍ଛ। ବିଶେଷଜ୍ଞଙ୍କ ମତରେ ଏଥିରୁ ରକ୍ଷା ପାଇବାର ଏକ ଉପାୟ ହେଉଛି ବଜ୍ରକବଚ। ସାଧାରଣତଃ ବଡ ବଡ ଅଟ୍ଟାଳିକାର ଅଗ୍ରଭାଗରେ ଏକ ମୁନିଆ ଲୁହାଛଡ ପୋତା ଯାଇଥାଏ, ଯାହା ଭୂମିକୁ ସଂଯୋଗ କରୁଥାଏ ଏକ ତମ୍ବାତାର ମାଧ୍ୟମରେ। ଏହାକୁ କୁହାଯାଏ ତଡିତ୍‌ ରକ୍ଷକ ବା ଲାଇଟନିଂ ଆରେଷ୍ଟର। କାରଣ ବଜ୍ରପାତ ହେଲେ ପ୍ରଥମେ ଏହି ମୁନିଆ ଲୁହା ବା ତଡିତ୍‌ ରକ୍ଷକ ପାଖରେ ପହଞ୍ଚେ ଏବଂ ତତ୍‌କ୍ଷଣାତ ତମ୍ବାତାର ଦେଇ ଭୂପୃଷ୍ଠକୁ ଚାଲିଯାଏ, ଯାହାଫଳରେ ରକ୍ଷା ପାଇଯାଏ ଅଟ୍ଟାଳିକା। ପ୍ରକୃତି ମଧ୍ୟ ଲୋକଙ୍କ ଜୀବନ ବଞ୍ଚେଇବା ପାଇଁ ନିଜ ଭିତରେ ଖଞ୍ଜିଛି ତଡିତ୍‌ ରକ୍ଷକ ବ୍ୟବସ୍ଥା। କଥାରେ ଅଛି ଡେଙ୍ଗା ମୁଣ୍ଡରେ ଠେଙ୍ଗା। କହିବାର ତାତ୍ପର୍ଯ୍ୟ ଆଗେ ଚଡକ ପଡେ ଡେଙ୍ଗା ଗଛ ଉପରେ। ଆମ ପରିବେଶରେ ତାଳଗଛ ହେଉଛି ସବୁଠାରୁ ଡେଙ୍ଗା ଗଛ। ତାଳଗଛ ଗଣ୍ଡିରେ ଅଧିକ ଜଳ ଅଂଶ ଥିବାରୁ ତା’ର ବିଦ୍ୟୁତ୍‌ ପ୍ରତିରୋଧକ ଶକ୍ତି କମ୍‌। ତେଣୁ ବଜ୍ରପାତ ହେବା ମାତ୍ରେ ତାହାର ଗଣ୍ଡି ଦେଇ ବିଜୁଳି ତତ୍‌କ୍ଷଣାତ ଭୂଇଁକୁ ଚାଲିଯାଏ ଏକ ସ୍ବୟଂକ୍ରିୟ ଉପାୟରେ। ଏହାଦ୍ବାରା ତାଳଗଛ ନିଜେ ଜଳିଯାଏ ସତ,କିନ୍ତୁ ବଜ୍ରପାତରୁ ରକ୍ଷା ପାଇଯାଏ ଅନେକ ଜୀବନ। ସେଥିପାଇଁ ତାଳଗଛକୁ କୁହାଯାଏ ବଜ୍ରକବଚ। ଏହି କାରଣରୁ ଆମ ପୂର୍ବଜମାନେ ପ୍ରଚୁର ପରିମାଣର ତାଳଗଛ ରୋପଣ କରୁଥିଲେ, ଯାହାଫଳରେ ତାହା ଛାଇ ଯାଇଥିଲା ବାଡି ବଗିଚା, ଗୋହିରୀ ଗୋଦଣ୍ଡା, ବିଲହିଡ ଓ ଜଙ୍ଗଲ ଆଦି ସବୁଆଡେ। ଯେବେଠାରୁ ତାଳଗଛ ଲୋପ ପାଇବାକୁ ଆରମ୍ଭ କଲା,ସେବେଠାରୁ ବଢିଲା ବଜ୍ର ବିତ୍ପାତ ଓ ତଜ୍ଜନିତ ମୃତ୍ୟୁ ହାର।
ପ୍ରାୟତଃ ତିନି ଦଶନ୍ଧି ପୂର୍ବରୁ ଓଡ଼ିଶାରେ ଯୁଆଡେ ଚାହିଁଲେ ଦିଶୁଥିଲା ତାଳଗଛ। ମାତ୍ର ୧୯୯୯ ମସିହା ପ୍ରଳୟଙ୍କରୀ ମହାବାତ୍ୟା ପରେ ବଦଳିଗଲା ଉପକୂଳ ଓଡ଼ିଶାର ଚିତ୍ର। ପ୍ରାୟତଃ ଅର୍ଦ୍ଧାଧିକ ତାଳଗଛ ଲୋପ ପାଇଗଲା ମହାବାତ୍ୟାର ତାଣ୍ଡବରେ। କିନ୍ତୁ ୨୦୦୫ ପର୍ଯ୍ୟନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କମି ନ ଥିଲା ତାଳଗଛ ସଂଖ୍ୟା। ପରବର୍ତ୍ତୀ ସମୟରେ ତାଳଗଛ ଉପରେ ମାଡିଆସିଲା ମଣିଷକୃତ ବିପତ୍ତି। ଆନ୍ଧ୍ର, ତାମିଲନାଡୁ ଓ ତେଲଙ୍ଗାନା ଆଦି ରାଜ୍ୟରେ ତାଳଗଛ କାଟିବା ଉପରେ କଟକଣା ହେବାରୁ ସେ ସବୁ ରାଜ୍ୟକୁ ଓଡ଼ିଶାରୁ ଚାଲାଣ ହେଲା ତାଳଗଣ୍ଡି। ବେପାରୀମାନେ ଏହାର ଫାଇଦା ନେବା ପାଇଁ ଖୋଜିଲେ ଗୁଜବର ଆଶ୍ରା। ଏକଦା ଏଠି କୁହାଗଲା ତାଳଗଛ ପରିବାର ପାଇଁ ଅଶୁଭ। ଗାଁ ଗାଁରେ ବୁଲିଲେ ଦଲାଲ। ଲୋକେ ବିଲ ବାଡିରୁ ତାଳଗଛ କାଟି ପକେଇଲେ,ଯାହାକୁ ଶସ୍ତାରେ କିଣି ନେଲେ ବେପାରୀ। ଅନ୍ୟ ରାଜ୍ୟକୁ ଯାଇ କେଉଁଠି ତାହା ତାରକା ହୋଟେଲର ବିଳାସପୂର୍ଣ୍ଣ କଟେଜ ନିର୍ମାଣରେ ଲାଗିଲା ତ କେଉଁଠି ତାକୁ ନେଇ ସମୁଦ୍ର କୂଳରେ ତିଆରି ହେଲା ସୌଖୀନ କୁଟୀର। ସେମାନଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଯାଇ ଓଡ଼ିଶାରୁ ବିଲୋପ ହୋଇଗଲା ତାଳଗଛ।
ତାଳଗଛ ଯେ କେବଳ ବଜ୍ରପାତରୁ ସୁରକ୍ଷା ଦିଏ ତାହା ନୁହେଁ, ନିୟମିତ ବୃଷ୍ଟିପାତ ଏବଂ ମୃତ୍ତିକା ଓ ଭୂତଳ ଜଳ ସଂରକ୍ଷଣ ଆଦି କ୍ଷେତ୍ରରେ ତା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏକଦା ତାଳଗଛ ଯୋଗୁ ସମୃଦ୍ଧ ହୋଇଥିଲା ଓଡ଼ିଶାର କୁଟୀର ଶିଳ୍ପ ଓ ଅର୍ଥନୀତି। ତାଳପତ୍ରରେ ଚଟେଇ, ଝାମ୍ପି, ପକ୍ଷିଆ, ବିଞ୍ଚଣା, ଆସନ ଆଦି ତିଆରି କରି ଗୁଜରାଣ ମେଣ୍ଟାଉ ଥିଲେ ଗ୍ରାମାଞ୍ଚଳର ଶହଶହ ପରିବାର। ଚାଳଛପର ଓ ଟାଇଲ ଘର ତିଆରି ବେଳେ ଲାଗୁଥିବା ସେଣି ଓ ଓରା ଆଦି ପାଇଁ ତାଳଗଛ ଗଣ୍ଡି ଭାରି ମଜଭୁତ। ତାଳରୁ ତିଆରି ଗୁଡ,ମିଶ୍ରି ଓ ତେଲର ଚାହିଦା ଆନ୍ତର୍ଜାତିକ ବଜାରରେ ଖୁବ୍‌ ବେଶି। ତାଳଗଛ ପାଇଁ ସୁରକ୍ଷିତ ଓ ସମୃଦ୍ଧ ହୋଇଥିଲା ଆମ ଖାଦ୍ୟ ଶୃଙ୍ଖଳ। ଖରାଦିନେ ତାଳସଜ ଓ ବର୍ଷାଦିନେ ତାଳପିଠା କେବଳ ସ୍ବାଦିଷ୍ଟ ନୁହେଁ, ଏକ ପୌଷ୍ଟିକ ଆହାର। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ବି ଲାଗେ ତାଳପିଠା ଭୋଗ। ଆଗେ ତାଳପତ୍ରରେ ଲେଖା ଯାଉଥିଲା ଆମ ପୋଥି, ପୁରାଣ ଓ ପଟ୍ଟଚିତ୍ର। ତାହା ଆମ ଐତିହ୍ୟ ଓ ପରମ୍ପରାର ଅମୂଲ୍ୟ ଦସ୍ତାବିଜ। ପୋଥି ସାହିତ୍ୟର ପ୍ରାଚୀନତାକୁ ଭିତ୍ତି କରି ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା। ତାଳପତ୍ରରେ ଜାତକ ତିଆରି କରିବା ଓ ଲଗ୍ନ ଚିଟାଉ ଲେଖିବା ଆମର ପ୍ରଚଳିତ ପରମ୍ପରା। ହାତୀମାନଙ୍କର ପ୍ରିୟ ଖାଦ୍ୟ ହେଉଛି ତାଳ। ଜୁନ୍‌ ମାସରୁ ସେପ୍ଟେମ୍ବର ଭିତରେ ସେମାନେ ଜଙ୍ଗଲ ତଳି ଅଞ୍ଚଳକୁ ଚାଲି ଆସନ୍ତି ତାଳ ଖାଇବା ପାଇଁ। ଜଙ୍ଗଲ ଜମିରୁ ତାଳଗଛ ଲୋପ ପାଇବା ପରେ ସେମାନଙ୍କ ପାଇଁ ସୃଷ୍ଟି ହେଲା ଖାଦ୍ୟ ସଙ୍କଟ। ଏଇଠୁ ଆରମ୍ଭ ହେଲା ହାତୀ-ମଣିଷ ଲଢେଇ।
ଦିନ ଥିଲା ତାଳଗଛର ଗହଳ ବନରେ ଦେଖିବାକୁ ମିଳୁଥିଲା ପର୍ଯ୍ୟାପ୍ତ ବାଇଚଢ଼େଇ ବସା। କବି ପ୍ରାଣକୁ ବିମୋହିତ କରେ ବସା ଭିତରକୁ ବାଇଚଢ଼େଇର ପ୍ରବେଶ ଓ ପ୍ରସ୍ଥାନ ଦୃଶ୍ୟ ଏବଂ ତାର କିଚିରିମିଚିରି ଶବ୍ଦ। ତା’ର ପ୍ରକାଶମାନତାକୁ ନେଇ ସୃଷ୍ଟି ହୋଇଛି ସାହିତ୍ୟର ଅପୂର୍ବ ଓ ଅନନ୍ୟ ସମ୍ଭାର। ଉତ୍କଳ ଗୌରବ ମଧୁସୂଦନ ଦାସ ଏକଦା ବିଦେଶରେ କହିଥିଲେ, ଆମ ତାଳଗଛରେ ପକ୍ଷୀ ବାନ୍ଧୁଥିବା ବସା ଯେଉଁ ନିର୍ମାଣ ଶୈଳୀର ପରିଚୟ ଦିଏ, ତାହା ଆପଣଙ୍କ ବଡ ବଡ ଇଞ୍ଜିନିୟରଙ୍କ ପକ୍ଷରେ ଅସାଧ୍ୟ। ସତରେ ତାଳଗଛରେ ବସା ବାନ୍ଧୁଥିବା ବାଇଚଢ଼େଇ ବସାର ନିରାପତ୍ତା ଏତେ ବ୍ୟବସ୍ଥିତ ଯେ ପ୍ରବଳ ଝଡ ତୋଫାନରେ ତା’ର କିଛି କ୍ଷତି ହୁଏ ନାହିଁ କି ତା’ ପାଖରେ ପହଞ୍ଚି ପାରେନି ଶିକାରୀ ବା ଶତ୍ରୁ। ସେଥିପାଇଁ ଚିଲିକା କାବ୍ୟରେ କବି ରାଧାନାଥ ଲେଖିଛନ୍ତି-”ବୈଦୁର୍ଯ୍ୟ- କିରୀଟ-ଧାରୀ ତୁଙ୍ଗ ତାଳ, ସରୋବର ତୀରେ ଶୋଭେ ମାଳମାଳ। ମହାନନ୍ଦେ ଯା’ର ବାହୁଛାୟା ଶ୍ରୟେ,ବାୟା ବାୟାବଧୂ ବସନ୍ତି ନିର୍ଭୟେ।“ କେତେ ଚମତ୍କାର ସତେ ପ୍ରକୃତିର ଏ ସର୍ଜନା।
ବର୍ଷ ବର୍ଷ ଧରି ଓଡ଼ିଶାରୁ ତାଳଗଛ କଟା ହୋଇ ବାହାର ରାଜ୍ୟକୁ ଚାଲାଣ ହେଲାବେଳେ ତାକୁ ରୋକିବାକୁ ପ୍ରୟାସ କଲାନି ପ୍ରଶାସନ। ତାଳଗୁଡ ସମବାୟ ସମିତି ସଭାପତି ନିଯୁକ୍ତି ପ୍ରତି ସରକାର ଯେତିକି ଗୁରୁତ୍ୱ ଦେଲେ ସେତିକି ଧ୍ୟାନ ଦେଲେନି ତାଳଗଛ ସଂରକ୍ଷଣ ଉପରେ। ଏବେ ବଜ୍ରପାତଜନିତ ମୃତ୍ୟୁ ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇବା ପରେ ଚିହିଙ୍କି ଉଠିଲେ ସରକାର। କଥାରେ ଅଛି ଶହେ ମୂଷା ଖାଇସାରିବା ପରେ ବିରାଡି ବାହାରିଲା ତୀର୍ଥ କରିବାକୁ। ସେମିତି ତାଳଗଛ ଲୋପ ପାଇବା ପରେ ଏବେ ଜାରି ହେଲା ତାଳଗଛ କାଟିବା ଉପରେ କଟକଣା। ସରକାରୀ ଘୋଷଣା ଅନୁସାରେ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଊଣେଇଶ ଲକ୍ଷ ତାଳଗଛ ରୋପଣ ହେବ ଏବଂ ଏଥିପାଇଁ ବିନିଯୋଗ ହେବ ସାତ କୋଟି ଅଣଷଠି ଲକ୍ଷ ଟଙ୍କା। ନିଷ୍ଠାର ସହିତ ଯୋଜନା କାର୍ଯ୍ୟକାରୀ ହେଲେ ଉପକାର ମିଳିବ ପ୍ରାୟ ଦୁଇ ଦଶନ୍ଧି ପରେ। ମାତ୍ର ମଞ୍ଜି ରୋପଣ ଓ ଗଛ ଉତ୍ତାରିବା କାର୍ଯ୍ୟଟି ସଫଳ ହେଲେ ତ ? କହିବାର କଥା କାର୍ଯାନ୍ବୟ ଦାୟିତ୍ୱ ବନ ବିଭାଗ ଅଧିକାରୀଙ୍କ ଉପରେ ନ୍ୟସ୍ତ, ଯେଉଁମାନଙ୍କ ପାଖରେ ରହିଛି ବନୀକରଣ ବିଫଳତାର ଦୀର୍ଘ ଅଭିଜ୍ଞତା। ପରିବେଶ ସମ୍ପର୍କିତ ମାଗାଜିନ ‘ଡାଉନ ଟୁ ଆର୍ଥ’ ଅନୁଯାୟୀ ଓଡ଼ିଶାରେ ଚାରାରୋପଣ କାର୍ଯ୍ୟକ୍ରମର ବର୍ଷକ ପରେ ବଞ୍ଚୁଥିବା ଗଛ ସଂଖ୍ୟା ଏକ ପ୍ରତିଶତରୁ ବି କମ୍‌। ଏହାର ମୁଖ୍ୟ କାରଣ ବନ ବିଭାଗ ଓ ଜନସାଧାରଣ ମଧ୍ୟରେ ସମନ୍ବୟର ଅଭାବ। ତାଳଗଛ ରୋପଣ କ୍ଷେତ୍ରରେ ବନ ବିଭାଗ ଅନ୍ତତଃ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଧିକୁମାର ରାଉତରାୟଙ୍କ ଭଳି ପରିବେଶପ୍ରେମୀଙ୍କ ସହଯୋଗ ନେବା ଉଚିତ, ଯିଏ ଗଲା ଦୁଇ ବର୍ଷ ଭିତରେ କୋଣାର୍କ, ବ୍ରହ୍ମଗିରି, ଅସ୍ତରଙ୍ଗ, ପୁରୀ ଓ ପାରାଦୀପ ଆଦି ଉପକୂଳ ଅଞ୍ଚଳରେ ୩୧ ହଜାରରୁ ଅଧିକ ତାଳଗଛ ଲଗେଇ ସାରିଲେଣି ନିଜସ୍ବ ଉଦ୍ୟମରେ।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri