ଲଘୁଚାପ ପ୍ରଭାବ: ଉପକୂଳରେ ବର୍ଷା ଜାରି

ଭୁବନେଶ୍ୱର,୫।୭(ବ୍ୟୁରୋ): ଦକ୍ଷିଣ ଝାଡଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ଓଡ଼ିଶାର ଝାରସୁଗୁଡା ଏବଂ ପୁରୀ ମଧ୍ୟ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଫଳରେ ବଙ୍ଗୋପସାଗରରୁ ମେଘ ଖଣ୍ଡ ଗୁଡିକ ଉପକୂଳ ମୁହାଁ ହେବା ସହ କିଛି ଜିଲାରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ଏହି ସୂଚନା ମିଳିଛି।

ଅନ୍ୟପଟେ, ଜୁନ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ୪୦ ପ୍ରତିଶତ ଥିବାବେଳେ ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆରେ ୧୧ ପ୍ରତିଶତ ବର୍ଷା ହୋଇଛି। ୧ ଜୁନ୍‌ରୁ ୪ ଜୁଲାଇ ସୁଦ୍ଧା ରାଜ୍ୟରେ ୧୮୧. ୪ ମିମି ସହ ସ୍ବାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।