Categories: ବାଣିଜ୍ୟ

ମହିମାନନ୍ଦଙ୍କୁ ‘ଲାଇଫ୍‌ଟାଇମ ଆଚିଭମେଣ୍ଟ ଆୱାର୍ଡ-୨୦୨୩’

ଭୁବନେଶ୍ୱର,୨୭।୨: ଦୀର୍ଘ ୪ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଭାରତୀୟ ଶିପିଂ ଓ ସାମୁଦ୍ରିକ ଶିଳ୍ପ ଏବଂ ଓଡ଼ିଶାର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିଜ୍ଞ ଶିଳ୍ପପତି ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ନିକଟରେ ସମ୍ମାନଜନକ ‘ଲାଇଫ୍‌ଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’ ପ୍ରଦାନ କରାଯାଇଛି। ବିଶେଷକରି ଏକ୍‌ଜିମ ଇଣ୍ଡିଆ ଶିପିଂ ଟାଇମ୍ସ ଦ୍ୱାରା କୋଲକାତାର ଦ ଲଳିତ ଗ୍ରେଟ୍‌ ଇଷ୍ଟର୍ନଠାରେ ଆୟୋଜିତ ଇଷ୍ଟର୍ନ ଷ୍ଟାର୍‌ ଆୱାର୍ଡସ-୨୦୨୩ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ‘ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ-୨୦୨୩’ର ୮ମ ସଂସ୍କରଣରେ ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପୂର୍ବତନ ସଚିବ ଗୋପାଳ କ୍ରିଷ୍ଣାଙ୍କ ଦ୍ୱାରା ଏହି ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଅପରପକ୍ଷରେ ଓଏସ୍‌ଏଲ୍‌ ଗ୍ରୁପ୍‌ ବର୍ଷ ୨୦୨୩ ପାଇଁ ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ୍‌ ଦ ଇୟର ପୁରସ୍କାର ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଓଏସ୍‌ଏଲ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ଚନ୍ଦନ ମିଶ୍ର ଏବଂ ଟିମ୍‌ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଏସ୍‌ଏଲ୍‌ ଗ୍ରୁପ୍‌ର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଓଏସ୍‌ଏଲ୍‌ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ର କହିଛନ୍ତି, ମୁଁ ହୃଦୟପୂର୍ଣ୍ଣ ସହକାରେ ଉକ୍ତ ପୁରସ୍କାରକୁ ମୋ ସହକର୍ମୀ, କର୍ମଚାରୀ, ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଉତ୍ସର୍ଗ କରୁଛି। ସେମାନଙ୍କ କଠିନ ପରିଶ୍ରମ, ସମର୍ପଣ, ନିଷ୍ଠା ଏବଂ ସର୍ବୋପରି ସଂଗଠନର ସ୍ବାର୍ଥ ପାଇଁ ସମସ୍ତ ବ୍ୟକ୍ତିଗତ ଉତ୍ସର୍ଗ ଲାଗି ହିଁ ଏହା ସମ୍ଭବ ହୋଇପାରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମହିମା ମିଶ୍ର ନାମରେ ମହିମାନନ୍ଦ ମିଶ୍ର ସର୍ବତ୍ର ପରିଚିତ। ସୂଚନାଯୋଗ୍ୟ,ଗତ ବର୍ଷ ମଧ୍ୟ କୋଲକାତାଠାରେ ଆୟୋଜିତ ‘ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ-୨୦୨୨’ର ୭ମ ସଂସ୍କରଣରେ ଓଏସ୍‌ଏଲ୍‌କୁ ‘ବର୍ଷର ସର୍ବଶ୍ରେଷ୍ଠ ଲଜିଷ୍ଟିକ୍‌ କମ୍ପାନୀ’ ଏବଂ ‘ବର୍ଷର ସର୍ବଶ୍ରେଷ୍ଠ ଷ୍ଟିଭେଡର୍ସ କମ୍ପାନୀ’ ଭାବେ ପୁରସ୍କୃତ କରାଯାଇଥିଲା।

Share