Categories: ଜାତୀୟ

ଗ୍ରୀଷ୍ମରେ ଦୁର୍ବିଷହ ହେବ ଜୀବନ

ନୂଆଦିଲ୍ଲୀ, ୨୯l୩: ଗତ ଫେବୃୟାରୀର ତାପମାତ୍ରା ୧୯୦୧ରୁ ସବୁଠାରୁ ଉତ୍ତପ୍ତମାସ ଭାବେ ରେକର୍ଡ କରାଯାଇଛି। ତେବେ ଆସନ୍ତା ସପ୍ତାହରୁ ଦେଶରେ ଗ୍ରୀଷ୍ମ ଲହରି ଆରମ୍ଭ ହେବା ସହ ତାପମାତ୍ରା ୫୦ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ବଢ଼ୁଥିବା ତାପମାତ୍ରା ଯୋଗୁ ଜନଜୀବନ କଲବଲ ହେବା ସାଙ୍ଗକୁ ବ୍ୟାପକ ଫସଲହାନି ହେବା ନେଇ ଆଶଙ୍କା ଥିବା ବିଭାଗ କହିଛି।
ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଦେଶରେ ଗ୍ରୀଷ୍ମ ଲହରି ବଢ଼ିବା ନେଇ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଯେଉଁମାନଙ୍କ ଘରେ ବାୟୁ ଚଳାଚଳ ନେଇ ସୁବ୍ୟବସ୍ଥା ନାହିଁ ଏବଂ ଏୟାର କଣ୍ଡିଶନ୍‌ର ସୁବିଧା ନାହିଁ ସେହିମାନେ ଗ୍ରୀଷ୍ମ ପ୍ରବାହଜନିତ ଅସୁବିଧାରେ ଅଧିକ ସମ୍ମୁଖୀନ ହେବେ। ଗୁଳୁଗୁଳି ଏବଂ ତାପମାତ୍ରା ବୃଦ୍ଧି ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ଜଳବାୟୁ ବିଜ୍ଞାନୀ କିରନ ହଣ୍ଟ କହିଛନ୍ତି। ଅଧିକ ଗରମ ଅନୁଭୂତ ହେଉଥିବା ଅଞ୍ଚଳଗୁଡ଼ିକ ସାହାରା ମରୁଭୂମି ଭଳି ଉତ୍ତପ୍ତ ହେବେ। ଗ୍ଲୋବାଲ୍‌ ଓ୍ବାର୍ମିଂ ପାଇଁ ଖାଲି ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ଗ୍ରୀଷ୍ମ ଲହରିଜନିତ ପୀଡ଼ା ଭୋଗିବାକୁ ପଡ଼ିବ। ଅନ୍ୟପକ୍ଷେ ବହୁ ସଂଖ୍ୟାରେ କଳକାରଖାନା ସ୍ଥାପନ ଏବଂ ଜଙ୍ଗଲ କ୍ଷୟ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଇପାରିବ। ଗ୍ରୀଷ୍ମ ଋତୁରେ ପ୍ରବାହିତ ଉତ୍ତପ୍ତ ଲହରି ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରବାହିତ ହେବା ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି। ଲଗାତର କିଛି ବର୍ଷ ହେବ ଦେଶରେ ତାପମାତ୍ରା କ୍ରମାଗତ ଭାବେ ବଢ଼ିଚାଲିଛି। ଗତବର୍ଷ ମେ’ରେ ଉତ୍ତର ଭାରତରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ତାପମାତ୍ରା ବଢ଼ିବା ଯୋଗୁ ଅନେକ ଅଞ୍ଚଳରେ ମୃତ୍ତିକା ଶୁଖିଲା ପଡ଼ିବ। ଫସଲ ନଷ୍ଟ ହେବା ସାଙ୍ଗକୁ ଜଳ ସଙ୍କଟ ଦେଖାଯିବ। ଏଥିସହ ମୌସୁମୀ ବିଳମ୍ବରେ ଆସିବା ନେଇ ଅଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ।

Share