ଅସୁସ୍ଥ ମା’ଙ୍କୁ ଦେଖିବାକୁ ଯାଉଥିଲେ ଝିଅ, ବାଟରେ ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମର ଜଣେ ମହିଳା ବୁଧବାର ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ବେହେରନସିଲ ଗାଁକୁ ଚାଲି ଚାଲି ଯାଉଥିଲେ। ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି। ମୃତ ମହିଳାଙ୍କ ନାଁ ଭବାନୀ ବାଗ (୩୩)। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ଆମପାଣି ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତ କରି କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି।