ବସ୍‌କୁ କରିଥିଲେ ଅପେକ୍ଷା: ଦୁର୍ଘଟଣାରେ ଚାଲିଗଲା ଜୀବନ

ରାଇରଙ୍ଗପୁର,୩୧।୮(ମାନସ ମହାନ୍ତି ): ମୟୁରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଖଡମବେଡା ପଞ୍ଚାୟତ ଦେଉପଟା ଗ୍ରାମ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଗାଡ଼ି ଧକ୍କାରେ ଜୈନକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇରଙ୍ଗପୁର ଗ୍ରାମ ଅଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରେଇ ଗ୍ରାମର ସେକ ନାସିର ହୁସେନ(୪୨)।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ନାସିର ଦେଉପଟା ଗ୍ରାମରେ ରହୁଥିବା ସମ୍ପର୍କୀୟ ଘରକୁ ଯାଇଥିଲେ। ଗୁରୁବାର ସେ ଗାଁକୁ ଫେରୁଥିଲେ। ଏନେଇ ଦେଉପଟା ଗ୍ରାମ ନିକଟରେ ସେ ବସ୍‌କୁ ଅପେକ୍ଷା କରିଥିଲେ। ସେତିକିବେଳେ ଏକ ଗାଡ଼ି ନାସିରଙ୍କୁ ଧକ୍କା ଦେଇ ଫେରାର ହୋଇଥିବା ଜଣାପଡିଛି। ଫଳରେ ଘଟଣାସ୍ଥଳରେ ନାସିରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୧୬୬/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।