ଭଙ୍ଗା ଛଣ ଛପର କୁଡ଼ିଆରେ ବିତୁଛି ଜୀବନ

ଦଶମନ୍ତପୁର, ୮ା୬ ( ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଦେଓଖଡ଼କ ଗ୍ରାମର ଡମୁଣୀ ପ୍ରଧାନୀ । ବୟସ ୮୫ ଟପିଲାଣି। ୨ ବର୍ଷ ତଳେ ବର୍ଷାରେ ଭୁଶୁଡ଼ିଥିବା ଭଙ୍ଗା ଛଣ ଛପର କୁଡ଼ିଆରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ସେ। ପାଖରେ ଝିଅ ପୁଅ କେହି ନାହାନ୍ତି। ବର୍ଷାଋତୁ ଆସିଲେ କାଳେ କୁଡିଆଟି ଭୁଶୁଡ଼ି ପଡିବ ଏହି ଆଶଙ୍କାରେ ଡମୁଣୀ ଭୟରେ ରାତିସାରା ଉଜାଗର ରହୁଛନ୍ତି। ଦି’ଓଳି ଖାଇବା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି। ସରକାରଙ୍କ ପକ୍ଷରୁ ଯାହା ଭତ୍ତା ମିଳୁଛି ସେଥିରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି। ସେ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଶାସନ ପକ୍ଷରୁ ଖଣ୍ଡିଏ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ନବୀନ ମୁଦୁଲିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ, ମୁଁ ସମ୍ପୃକ୍ତା ବୃଦ୍ଧାଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ପଚାରି ବୁଝିଛି। ଆଗାମୀ ଦିନରେ ତାଙ୍କ ପାଇଁ ଖଣ୍ଡେ ଗୃହ ବ୍ୟବସ୍ଥା କରିଦେବେ ବୋଲି ମୁଦୁଲି କହିଛନ୍ତି।