ଜୀବିକା ପାଇଁ ବିପଦରେ ଜୀବନ

ମହାକାଳପଡ଼ା,୩୦ା୮( ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପ୍ରବାହିତ ନଦୀ, ନାଳ ଓ ଜୋରି ଆଦିରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। କୁମ୍ଭୀର ସାଧାରଣତଃ ମାଛ, କଙ୍କଡା ଓ ନଦୀରେ ଥିବା ବର୍ଯ୍ୟବସ୍ତୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଅନେକ ସମୟରେ ନଦୀ, ନାଳ ମଧ୍ୟରେ ଲୋକମାନେ ପ୍ରବେଶ କଲେ କୁମ୍ଭୀର ଆକ୍ରମଣ କରିଥାନ୍ତି। କିଛିଦିନ ପୂର୍ବେ ଛତର ଗ୍ରାମର ମହିଳାମାନେ ନାଳରେ ମାଛ ଧରୁଥିବା ବେଳେ ଏକ ବଉଳା କୁମ୍ଭୀର ଆକ୍ରମଣ କରିଥିଲା। ପରେ ମହିଳା ଜଣକ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ସେହିପରି ବ୍ଲକର ରାମନଗର ଓ ପେଟଛେଲ୍ଲା ପଞ୍ଚାୟତର ମହାନଦୀ ଶାଖା ରାମଚଣ୍ଡୀ ଗଳିଆ ନଦୀରେ ଜୀବନ ଜୀବିକା ପାଇଁ କେତେକ ଶବର ସମ୍ପ୍ରଦାୟ ମହିଳାମାନେ ନାଳ ମଧ୍ୟରେ ବେକାଏ ପାଣିରେ ପଶି କୁମ୍ଭୀରମାନଙ୍କୁ ଭୟ ନ କରି ମାଛ, କଙ୍କଡା ଧରୁଥିବା ଦେଖିବାକୁ ମିଳିଛି। ତେବେ ଏହି ନାଳରୁ ପୂର୍ବରୁ କେତେଜଣ ମହିଳା ମାଛ ଧରିବା ସମୟରେ କୁମ୍ଭୀର ଆକ୍ରମଣରେ ଶିକାର ହୋଇଥିବା ନଜିର ରହିଛି। କୌଣସି ସମୟରେ କୁମ୍ଭୀର ଆକ୍ରମଣ ଭୟ ରହିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ଏହି ଆଦିବାସୀ ଶବରୀ ମହିଳାମାନଙ୍କର ଆର୍ଥିକ ସମ୍ବଳ ନ ଥିବାରୁ ନାଳରୁ ମାଛ, କଙ୍କଡା ଧରିବା ସହ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବରୁ ଏହି ନାଳରେ ପଶି ମାଛ ଧରିବା ସମୟରେ ଜଙ୍ଗଲ ଘେରି ଶବରପଡ଼ାର ହାଣୁଆ ଭକ୍ତା, ଗୋଷ୍ଠ ଭକ୍ତାଙ୍କ ସମେତ ଅନ୍ୟ ମହିଳାମାନେ କିଛିମାସ ପୂର୍ବେ ବଉଳା କୁମ୍ଭୀରଙ୍କ ଆକ୍ରମଣର ଶିକାର ହୋଇ ଚିକିତ୍ସା ହୋଇ ଫେରିଥିଲେ। ଏଠାର ପ୍ରଶ୍ନ ଉଠୁଛି ଏହି ନାଳରେ ପ୍ରବେଶ ପାଇଁ ବନ ବିଭାଗ ପକ୍ଷରୁ ସଚେତନ ଅଭାବ ଯୋଗୁ ଅଣଦେଖା କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଶବର ସମ୍ପ୍ରଦାୟ ମହିଳାମାନଙ୍କ ମଧ୍ୟରେ ପାର୍ବତୀ ନାୟକ, ପାର୍ବତୀ ଭକ୍ତା, ସୀତା ଭକ୍ତା, ପୁତୁଲି ନାୟକ, ଗୁଡୁ ଆହାଡି, ରୁବୁନ ଭକ୍ତା, ଛଇଳି ନାୟକ ପ୍ରମୁଖ କହିବା କଥା ଆମର ଅଭାବ ସଂସାର ପରିବାର ଚଳୁଛି। ନଦୀ ନାଳରୁ ମାଛ ଓ କଙ୍କଡା ଧରି ବିକ୍ରିକରି ପରିବାର ଚଳାଇବା ପାଇଁ ପଡୁଛି। କୁମ୍ଭୀର ଆକ୍ରମଣ କଲେ ମଧ୍ୟ ଆମର ଜୀବନ ଜୀବିକା କଥା। ଦିନେ ଘରେ ବସିଲେ କିଏ ଆମ ପରିବାରକୁ ଚଳାଇାବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଆମର ଜମି ନାହିଁ। ସରକାରୀ ଜଙ୍ଗଲ ଜମିରେ ବସବାସ କରୁଥିଲେ ମଧ୍ୟ ଆମ ଦୁଃଖ କେବେ ପ୍ରଶାସନ ଶୁଣିବ ବୋଲି ପ୍ରଶ୍ନ କରିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ, ବାତ୍ୟା ଆସିଲେ ଜୀବନ ଯନ୍ତ୍ରଣା ବଢେ। ଏ ଦୁନିଆରେ କିଏ କାହାର ବୋଲି ଦୁଃଖ ଭରା କଣ୍ଠରେ କେତେଜଣ ଶବରୀ ମହିଳାମାନେ ନିଜ ଦୁଃଖ ବଖାଣିଛନ୍ତି।