ବଜ୍ରପାତରେ ଚାଲିଗଲା ଜୀବନ

କର୍ଲାମୁଣ୍ଡା,୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ମଚିନ୍ଦ୍ର ନାଗ (୫୯)।

ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ମଚିନ୍ଦ୍ର ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଘଡ଼ଘଡି ସହ ବର୍ଷା ହେବାରୁ ସେ ଏକ ଗଛ ମୂଳେ ଠିଆ ହୋଇଥିଲେ। ସେତିକିବେଳେ ବଜ୍ରପାତ ଘଟିଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ମ ରାମପୁର ଥାନାରେ ଏକ ମାମଲା (ନଂ.୯/୨୦୨୩) ରୁଜୁ ହୋଇଥିବା ଥାନା ଅଧିକାରୀ ସଚିନ୍ଦ୍ର ପଧାନ ପ୍ରକାଶ କରିଛନ୍ତି।