ସ୍ତ୍ରୀ ହତ୍ୟାକରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର, ୨୮।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ସୋମବାର ଏକ ହତ୍ୟା ମାମଲା ଶୁଣାଣି କରିଛନ୍ତି। ଏହି ଘଟଣାରେ ତେଲକୋଇ ଥାନା ବଡଖମଣର ବାବୁଲି ମଲ୍ଲାର ନାମକ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଦଣ୍ଡ ଆଦେଶ କରିଛନ୍ତି। ୨୦୧୭ ଜୁଲାଇ ୪ ତାରିଖରେ ତାଙ୍କ ସ୍ତ୍ରୀ ବର୍ଷା ମଲ୍ଲାରଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ତେବେ ୬ ତାରିଖରେ ଏହି ଘଟଣାକୁ ନେଇ ମୃତାଙ୍କ ଭାଇ ଚିନ୍ତା ମଲ୍ଲାର ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।

ସୂଚନାନୁସାରେ, ବଡଖମଣ ହାଟରୁ କଳାପାଟ ସଂରକ୍ଷିତ ରାସ୍ତାରେ ଫେରୁଥିବାବେଳେ ପୂର୍ବ ଯୋଜନା ମୁତାବକ ବାବୁଲି ମଲ୍ଲାର ସ୍ତ୍ରୀ ବର୍ଷାକୁ ଏକ ପଥରରେ ମୁଣ୍ଡରେ ଛେଚି ହତ୍ୟା କରିଥିଲେ। ପ୍ରକୃତ ଘଟଣାକୁ ଲୁଚାଇବାକୁ ଯାଇ ହାତୀ ମାରିଥିବା ନେଇ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଉକ୍ତ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ନ ଥିବା ଜାଣିବା ପରେ ମାମଲାର ତଦନ୍ତ ନେଇ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳକୁ ଯିବା ପୂର୍ବରୁ ସେ ମୃତଦେହକୁ ମାଟିରେ ପୋତି ଦେଇଥିଲେ। ପୋଲିସର ଜେରା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ବାବୁଲିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୫ ଜଣ ସାକ୍ଷୀ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ସୋମବାର ଏହି ଦଣ୍ଡାଦେଶ ଦେଇଛନ୍ତି।

Share