ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ମାଥିଲି,୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଦୌରାଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୧ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ମାଥିଲି ବ୍ଲକ ଅନ୍ତର୍ଗତ ଚେଡେଙ୍ଗା ପଞ୍ଚାୟତ ତେଲକବେଚା ଗାଁର ନରସିଂହ ପୂଜାରୀ।
ପ୍ରକାଶ ଯେ,୨୦୧୭ ଜୁନ ୨୧ ତାରିଖରେ ତେଲକବେଚା ଗାଁର ନରସିଂହ ଓ ତାଙ୍କ ସ୍ତ୍ରୀ କୁସୁମା ପୂଜାରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ସେହିଦିନ ରାତି ପ୍ରାୟ ୯ଟାରେ କୁସୁମାଙ୍କ ଭାଇ ମାଥିଲି ଥାନା ଅନ୍ତର୍ଗତ ସାରଦାପୁଟ ଗ୍ରାମର ଗଙ୍ଗାଧର ପୂଜାରୀଙ୍କ ନିକଟକୁ ଭଉଣୀଙ୍କୁ ମାରି ଦିଆଯାଇଥିବା ସମ୍ପର୍କରେ ଖବର ଆସିିଥିଲା। ତେଲକବେଚା ଓ ପ୍ରଧାନୀଗୁଡା ଜଙ୍ଗଲ ମଧ୍ୟରେ କୁସୁମାଙ୍କ ମୁଣ୍ଡରେ ପଥର ଛେଚି ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ତେଲକବେଚା ଗାଁର ୨ଜଣଙ୍କ ଠାରୁ ଶୁଣି ଗଙ୍ଗାଧର ପରଦିନ ଘଟଣାସ୍ଥଳକୁ ଯିବାରେ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ନେଇ ସେ ମାଥିଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନରସିଂହଙ୍କୁ ଗିରଫ କରିଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେବେଠୁ ଏହି ମାମଲା ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ବିଚାରଧୀନ ଥିଲା। ୨୮ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ କୋର୍ଟରେ ପୋଲିସ ଦାଖଲ କରିଥିବା ଚାର୍ଜଶିଟକୁ ଆଧାର କରି ବିଚାରପତି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ମହେନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ।