Categories: ଜାତୀୟ

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ସମୁଦାୟ ୯ଜଣ ଅଭିଯୁକ୍ତ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ଜାନୁଆରୀ ୨୫, ୨୦୦୫ରେ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଅଟିକ ଅହମ୍ମଦ ଏବଂ ତାଙ୍କ ଭାଇଙ୍କ ସମେତ ୯ଜଣଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଥିଲା। ବଞ୍ଚିଥିବା ସମସ୍ତ ଅଭିଯୁକ୍ତ ଆବିଦ, ଫରହାନ, ଜାଭେଦ, ଅବଦୁଲ କଭି, ଗୁଲ ହସନ, ଇସରାର ଏବଂ ରଞ୍ଜିତ ପାଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଫରହାନଙ୍କୁ ୪ବର୍ଷ ଜେଲ ଏବଂ ୨୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଇସରାର ଅହମ୍ମଦ, ରଞ୍ଜିତ ପାଲ, ଜାଭେଦ, ଗୁଲଶନ ଏବଂ ଅବଦୁଲ କବି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ହତ୍ୟା ମାମଲାରେ ଅଭିଯୁକ୍ତ ୬ଜଣଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ୫୦,୦୦୦ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ନିକଟରେ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ପ୍ରତ୍ୟକ୍ଷଦର୍ଶୀ ଉମେଶ ପାଲଙ୍କୁ ବୋମା ଓ ଗୁଳି ଫୁଟାଇ ଦୁଷ୍କର୍ମକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ଏହି ଘଟଣାରେ ଉମେଶ ପାଲଙ୍କ ସୁରକ୍ଷା ପାଇଁ ନିୟୋଜିତ ଗନର୍‌ ସନ୍ଦୀପ ନିଶାଦଙ୍କୁ ମଧ୍ୟ ହତ୍ୟା କରାଯାଇଛି।

Share