୮ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ -୩ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ସେ ହତ୍ୟା ମାମଲାରେ ସମ୍ପୃକ୍ତ ହତ୍ୟାକାରୀ ଆର୍‌. ହରି ପାତ୍ରଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧୫ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ୨୦୧୭ ସେପ୍ଟେମ୍ବର ୧୭ତାରିଖ ରାତିରେ ୮ ଜଣ ବ୍ୟକ୍ତି ଖଣ୍ଡା ଓ ଠେଙ୍ଗା ଧରି ଆମ୍ବଗଡ ଗ୍ରାମର ଏମ୍‌. ବୁଡୁପାତ୍ରଙ୍କ ଘରେ ପଶି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମୃତକଙ୍କ ଭାଇ ଏମ୍‌. ଲଡୁ ପାତ୍ର ସଦର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏସଂକ୍ରାନ୍ତରେ ଏକ ହତ୍ୟା ମାମଲା(ନଂ.୧୯୪/୧୭) ରୁଜୁ କରିଥିଲା। ପୂର୍ବଶତ୍ରୁତାରୁ ବୁଡୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆର୍‌. ହରିପାତ୍ର, ଆର୍‌. ଲୋକନାଥ, ଏମ୍‌.ଦଣ୍ଡ ପାତ୍ର, ଏମ୍‌. ବଇରି ପାତ୍ର , ଏମ୍‌. ଭୀମ ପାତ୍ର, ଏମ୍‌. ସୋମେଶ ପାତ୍ର, ବି. ନଈରି ପାତ୍ର ଓ ଆର୍‌. ଭାସ୍କର ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତତ୍କାଳୀନ ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଶିବଶଙ୍କର ମହାପାତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା। ଉକ୍ତ ମାମଲାର ବିଚାର ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମଙ୍ଗଳବାର ସମସ୍ତ ୮ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟକୁ ଆଧାର କରି ଜଜ୍‌ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।