ଧୂମକେତୁ ଜରିଆରେ ପୃଥିବୀକୁ ଆସି ନ ଥିଲା ଜୀବନ, ଗବେଷକ କହିଲେ…

ଲଣ୍ଡନ,୨ା୧୧: ବହୁ କୋଟି ବର୍ଷ ପୂର୍ବେ ମହାକାଶରୁ ଧୂମକେତୁ ଜରିଆରେ ପୃଥିବୀକୁ ଜୀବନର ମୌଳିକ ଉପାଦାନଗୁଡ଼ିକ ଆସିଥିଲା ବୋଲି ଯେଉଁ ଲୋକପ୍ରିୟ ତତ୍ତ୍ୱ ରହିଛି, ତାହା ଭୁଲ ହୋଇପାରେ ବୋଲି ନୂତନ କମ୍ପ୍ୟୁଟର ସିମୁଲେଶନରୁ ଜଣାପଡ଼ିଛି। ଏହି ଗବେଷଣା ଅନୁଯାୟୀ, ଧୂମକେତୁଗୁଡ଼ିକରେ ଥିବା ଭଙ୍ଗୁର ଜୈବ ଅଣୁଗୁଡ଼ିକ ପୃଥିବୀ ପୃଷ୍ଠରେ ମାଡ଼ ହେବା ବେଳେ ଧ୍ୱଂସ ହୋଇଯାଇଥିବାରୁ, ଏହା ୧୯୬୧ ମସିହାରୁ ଚାଲିଆସିଥିବା ଏକ ପ୍ରାଚୀନ ତତ୍ତ୍ୱକୁ ଚାଲେଞ୍ଜ କରିଛି।
ପ୍ରାୟ ୪ ବିଲିୟନ ବର୍ଷ ପୂର୍ବେ ପୃଥିବୀରେ ପ୍ରାୟ ୧ ଲକ୍ଷରୁ ଅଧିକ ବଡ଼ ଧୂମକେତୁ ପଡ଼ିଥିବା ଅନୁମାନ କରାଯାଏ। କିନ୍ତୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ୧ ଲକ୍ଷ ସିମୁଲେଶନ୍‌ରୁ ଜଣାପଡ଼ିଛି ଯେ ଏହି ଧୂମକେତୁଗୁଡ଼ିକ ଅତି ଅଧିକ ବେଗରେ ପୃଥିବୀକୁ ଆସୁଥିବାରୁ ସେଥିରେ ଥିବା ଜୈବ ଅଣୁଗୁଡ଼ିକ ସୁରକ୍ଷିତ ଭାବେ ପହଞ୍ଚତ୍ପାରି ନ ଥିଲା।
ଅଧ୍ୟୟନରେ ମୁଖ୍ୟତଃ ‘ହାଇଡ୍ରୋଜେନ ସାଇନାଇଡ’ ଉପରେ ଧ୍ୟାନ ଦିଆଯାଇଥିଲା, ଯାହା ଏମିନୋ ଏସିଡ୍‌ ଏବଂ ପ୍ରୋଟିନ ଗଠନ ପାଇଁ ଅତ୍ୟନ୍ତ ଜରୁରୀ। ମାତ୍ର ଆଘାତ ସମୟରେ ସୃଷ୍ଟି ହେଉଥିବା ପ୍ରବଳ ତାପମାତ୍ରା ଏବଂ ଚାପ ଯୋଗୁ ଏହି ପ୍ରାଥମିକ ଅଣୁଗୁଡ଼ିକ ନଷ୍ଟ ହୋଇଯାଇଥିଲା ବୋଲି ମୁଖ୍ୟ ଗବେଷକ ରିଚାର୍ଡ ଆନ୍ସୋ କହିଛନ୍ତି।
ଯଦି ଧୂମକେତୁ ଜୀବନ ଆଣିବାରେ ସଫଳ ହୋଇ ନ ଥାଏ, ତେବେ ଅନ୍ୟ କେଉଁ ମାଧ୍ୟମରେ ଜୀବନ ଆସିଥାଇପାରେ ବୋଲି ଗବେଷକମାନେ ଅନୁଧ୍ୟାନ କରିଛନ୍ତି। ଏଭଳିସ୍ଥଳେ କ୍ଷୁଦ୍ରଗ୍ରହଗୁଡ଼ିକ ପୃଥିବୀକୁ ଅଧିକ ମନ୍ଥର ଗତିରେ ଏବଂ ଅଧିକ ସଂଖ୍ୟାରେ ଆଘାତ କରିଥିବାରୁ ସେଗୁଡ଼ିକ ଜୈବ ଅଣୁଗୁଡ଼ିକୁ ସୁରକ୍ଷିତ ପହଞ୍ଚାଇଥାଇପାରନ୍ତି।
‘ବେନ୍ନୁ’ ଏବଂ ‘ରୁଗୁ’ କ୍ଷୁଦ୍ରଗ୍ରହର ନମୁନାରୁ ଏହାର ପ୍ରମାଣ ମଧ୍ୟ ମିଳିଛି। ମଙ୍ଗଳ ଗ୍ରହ ଆକାରରେ ଛୋଟ ଏବଂ ସୂର୍ଯ୍ୟଠାରୁ ଦୂରରେ ଥିବାରୁ ସେଠାରେ ଧୂମକେତୁଗୁଡ଼ିକର ଆଘାତ ବେଗ ବହୁତ କମ୍‌ ଥିଲା। ତେଣୁ ପୃଥିବୀ ତୁଳନାରେ ପ୍ରାଚୀନ ମଙ୍ଗଳ ଗ୍ରହରେ ଜୀବନର ଉପାଦାନଗୁଡ଼ିକ ଅଧିକ ସୁରକ୍ଷିତ ଭାବେ ସଂରକ୍ଷିତ ହୋଇରହିଥିବା ସମ୍ଭାବନା ରହିଛି। ତଥାପି, କେତେଜଣ ଗବେଷକଙ୍କ ମତରେ ବାୟୁମଣ୍ଡଳରେ ପ୍ରବେଶ କରିବା ପୂର୍ବରୁ ଧୂମକେତୁର ରାସାୟନିକ ପଦାର୍ଥଗୁଡ଼ିକ ପରିବର୍ତ୍ତନ ହୋଇ ଅନ୍ୟାନ୍ୟ ଜୈବିକ ଯୌଗିକ ସୃଷ୍ଟି କରିଥାଇପାରେ, ଯାହା ଜୀବନ ସୃଷ୍ଟିରେ ସହାୟକ ହୋଇଥିବ।

Dharitri – Odisha’s No.1 Odia Daily

Share