Categories: ଖେଳ

ଡୋପିଂ ମାମଲାରେ ଲାଇସେଙ୍କୋ ବାସନ୍ଦ

ମୋନାକୋ, ୬ା୭ (ଏପି)- କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ର ରୁଲିଂ ସୋମବାର ପ୍ରକାଶ ପାଇଛି। ତଦନୁସାରେ ରୁଷିଆ ହାଇଜମ୍ପର ଡାନିଲ ଲାଇସେଙ୍କୋ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଆଣ୍ଟି ଡୋପିଂ ସଂସ୍ଥାକୁ ସମୟକୁ ସମୟ ତାଙ୍କର ଅବସ୍ଥାନ ସମ୍ପର୍କରେ ସେ ସୂଚନା ଦେଇ ନ ଥିଲେ। ଏହାଦ୍ୱାରା ଆକସ୍ମିକ ଡୋପ୍‌ ଟେଷ୍ଟକୁ ଏଡାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ)ପକ୍ଷରୁ ଅଭିଯୋଗର ସତ୍ୟତା ନେଇ ତଦନ୍ତ ହୋଇଥିଲା। ଲାଇସେଙ୍କୋ ୨୦୧୭ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ଏବଂ ଏହାର ବର୍ଷକ ପରେ ଓ୍ବାଲର୍‌ଡ ଇନ୍‌ଡୋର ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିଲେ। ଲାଇସେଙ୍କୋ ତାଙ୍କ ଦୋଷ ସ୍ବୀକାର କରିବା ସହ ତଦନ୍ତ କାର୍ଯ୍ୟରେ ସହଯୋଗ କରିଥିବାରୁ ବାସନ୍ଦ ଦଣ୍ଡରୁ ୨ବର୍ଷ ସସ୍‌ପେଣ୍ଡ କରାଯାଇଛି। ହୋୟାର ଆବାଉଟ୍ସ ପ୍ରସଙ୍ଗରେ ପ୍ରଥମେ ସାମୟିକ ସସ୍‌ପେଣ୍ଡ ହୋଇ ସାରିଥିବାରୁ ୨୦୨୨ ଅଗଷ୍ଟ ବେଳକୁ ୪ବର୍ଷ ବାସନ୍ଦ ଦଣ୍ଡ ଶେଷ ହୋଇଯାଇଥିବ। ଏହାପରଠାରୁ ସେ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ରୁଷିଆ ଆଥଲେଟିକ୍‌ ମହାସଂଘ କେତେଜଣ ସିନିୟର ଅଫିସିଆଲ ଲାଇସେଙ୍କୋଙ୍କ ମାମଲାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଥିଲେ। ଫଳତଃ ପୂର୍ବ ରୁଲିଂରେ ମହାସଂଘର ତତ୍କାଳୀନ ସଭାପତିଙ୍କ ସମେତ ୫ ଅଫିସିଆଲ ବାସନ୍ଦ ହୋଇଥିଲେ। ସେମାନେ ଏକ କ୍ଲିନିକ୍‌ରୁ ଜାଲ୍‌ ପ୍ରମାଣପତ୍ର ଯୋଗାଡ଼ କରିଥିଲେ। ଏହି କାରଣରୁ ଲାଇସେଙ୍କୋ ଟେଷ୍ଟିଂ ପାଇଁ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଥିଲେ। ପରେ ଅନ୍ୟ ଏକ ମାମଲାରେ କାର୍‌ ଦୁର୍ଘଟଣା ଯୋଗୁ ହାଇଜମ୍ପର ଜଣକ ଡୋପ୍‌ ଟେଷ୍ଟ ଦେଇ ପାରି ନ ଥିବା ସୂଚାଇଥିଲେ। ଆଥଲେଟିକ ଇଣ୍ଟିଗ୍ରିଟି ୟୁନିଟ୍‌ କହିବା ଅନୁସାରେ ବହୁ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଙ୍କ ସହ କାର୍ଯ୍ୟ କରିଥିବା ଲାଇସେଙ୍କୋଙ୍କ କୋଚ୍‌ ୟେଭଜେନି ଜାଗୋରୁଲ୍‌କୋ ଏହି ମାମଲାରେ ୪ ବର୍ଷ ବାସନ୍ଦ ହୋଇଛନ୍ତି। ହେଲେ କାସ୍‌ର ଶୁଣାଣି ପୂର୍ବରୁ ତାଙ୍କର ଗତ ଏପ୍ରିଲରେ ମୃତ୍ୟୁ ଘଟିଛି।

Share