Categories: ଜାତୀୟ

କଂଗ୍ରେସରେ ପୁଣି ‘ଲେଟର ବମ୍‌’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ

ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ ନେଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏବେ ପୁଣି ଏକ ‘ଲେଟର ବମ୍‌’ ବିସ୍ଫୋରଣ ଉତ୍ତରପ୍ରଦେଶ ହୋଇଛି। ଗତ ବର୍ଷ ଦଳରୁ ବହିଷ୍କୃତ ହୋଇଥିବା ୯ ଜଣ ବରିଷ୍ଠ ନେତା ସୋନିଆଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ପରିବାର ମୋହରୁ ଦୂରେଇ ରହିବା ଲାଗି ଚିଠିରେ ସୋନିଆଙ୍କୁ ପରାମର୍ଶ ଦିଆଯାଇଛି। ନଚେତ୍‌ ଦଳ ଇତିହାସ ହୋଇ ରହିଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠିରେ ଟାର୍ଗେଟ୍‌ କରାଯାଇଛି। ଏବେ ପ୍ରିୟଙ୍କା ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ରାଜ୍ୟର ମଙ୍ଗଳ ପାଇଁ ପରିବାରକୁ ପଛରେ ପକାଇ ଦଳ କଥା ପ୍ରଥମେ ଚିନ୍ତା କରିବାକୁ ଚିଠିରେ ସୋନିଆଙ୍କୁ କହିଛନ୍ତି। ଦଳରେ ଲୋକତାନ୍ତ୍ରିକ ପରମ୍ପରାକୁ ପୁଣି ସ୍ଥାପିତ କରିବାକୁ ଚିଠିରେ କୁହାଯାଇଛି। ଚିଠିରେ ପୂର୍ବତନ ଏମ୍‌ପି ସନ୍ତୋଷ ସିଂ, ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠି, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ରା, ନେକଚନ୍ଦ ପାଣ୍ଡେ, ସ୍ବୟଂ ପ୍ରକାଶ ଗୋସ୍ବାମୀ ଏବଂ ରାଜୀବ ସିଂଙ୍କର ଦସ୍ତଖତ ରହିଛି। ଉତ୍ତରପ୍ରଦେଶରେ ଦଳର ସ୍ଥିତି ସମ୍ପର୍କରେ ରାଜ୍ୟ ପ୍ରଭାରୀ ହାଇକମାଣ୍ଡଙ୍କୁ କୌଣସି ତଥ୍ୟ ଦେଉ ନ ଥିବା ଚିଠିରେ ଅଭିଯୋଗ କରାଯାଇଛି। କେନ୍ଦ୍ରୀୟ ଅନୁଶାସନ କମିଟି ସେମାନଙ୍କ ବହିଷ୍କାର ପ୍ରସଙ୍ଗର ଅପିଲ୍‌ ଉପରେ ଜାଣିଶୁଣି ବିଚାର କରି ନ ଥିବା ନେତାମାନେ କହିଛନ୍ତି। ୧୯୭୭ରୁ ୮୦ ମଧ୍ୟରେ ହୋଇଥିବା ରାଜନୈତିକ ସଙ୍କଟ ସମୟରେ କଂଗ୍ରେସ ସହିତ ଚଟାଣ ପରି ଛିଡ଼ା ହୋଇଥିବା ନେତାଙ୍କ ଯୋଗ୍ୟତା ଆକଳନ କରାଯିବା କେତେଦୂର ଯୁକ୍ତିଯୁକ୍ତ ତାହା ଚିଠିରେ ଉଲ୍ଲେଖ କରାଯାଇଛି। ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଦଳରେ ଆଭ୍ୟନ୍ତରୀଣ ଅସନ୍ତୋଷ ବୃଦ୍ଧି କରୁଥିବା ଚିଠିରେ କୁହାଯାଇଛି। ଏବେ ଏହି ଚିଠିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share