ବାଦାମ ଲଡୁ କାରଖାନାରେ ଚଢ଼ାଉ

ରାଉରକେଲା ଅଫିସ,୧୯।୧୧: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡା ଅଞ୍ଚଳରେ ଦୀର୍ଘଦିନ ଧରି ଅସ୍ବାସ୍ଥ୍ୟକର ପରିବେଶରେ ଚିକି ଓ ବାଦାମ ଲଡୁ ତିଆରି କରୁଥିବା ଏକ କାରଖାନାରେ ଆରଏମ୍‌ସିର ସ୍ବାସ୍ଥ୍ୟ ବିଭାଗ ଶୁକ୍ରବାର ଚଢ଼ାଉ କରିଛି। ଚଢାଉ ସମୟରେ ବିଭାଗୀୟ ଅଧିକାରୀମାନେ କାରଖାନା ଭିତରୁ ୫ କୁଇଣ୍ଟାଲ ନିମ୍ନମାନର ବାଦାମ ଲଡୁ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି।
ଉଦିତନଗର ସ୍ଥିତ ଓରାମପଡା ଅଞ୍ଚଳରେ ବିଜୟଲକ୍ଷ୍ମୀ ସୁଇଟ୍‌ ନାମରେ ଏକ କାରଖାନା ରହିଛି। ଏହି କାରଖାନାରେ ଅସ୍ବାସ୍ଥ୍ୟକର ପରିବେଶରେ ବାଦାମ ଲଡୁ ତିଆରି କରାଯାଉଥିବାବେଳେ ୩ ମାସ ତଳେ ଆରଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ମଧ୍ୟ ଜାରି କରାଯାଇଥିଲା। ମାତ୍ର କାରଖାନା କର୍ତ୍ତୃପକ୍ଷ ଉକ୍ତ ନୋଟିସକୁ ବେଖାତିର ଚିକି ଓ ବାଦାମ ଲଡୁ ତିଆରି କରି ସହରରେ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ। କାରଖାନାରେ ତିଆରି ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଗୁଡିକ ଅତି ନିମ୍ନମାନର ହୋଇଥିବା ଆରଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଏସ୍‌.କେ ପରିଡା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ କାରଖାନାର କୌଣସି ଲାଇସେନ୍ସ ନ ଥିବାବେଳେ ନକଲି ଗୁଡ, ପୋଡାତେଲ, ପୋକାବାଦାମ ଓ ନିମ୍ନମାନର ମଇଦାକୁ ଜବତ କରାଯାଇଥିଲା। ପରେ ରାଉରକେଲା ଅତିରିକ୍ତ ମାଜିଷ୍ଟ୍ରେଟ୍‌ ବବିତା ମୁର୍ମୁଙ୍କ ଉପସ୍ଥିତିରେ କାରଖାନାକୁ ସିଲ୍‌ କରାଯାଇଥିଲା। ଏଥିସହ ବିଭାଗୀୟ ଅଧିକାରୀମାନେ ଉକ୍ତ ଫ୍ୟାକ୍ଟ୍ରିରେ ତିଆରି ହୋଇଥିବା ନିମ୍ନମାନର ବାଦାମ ଲଡୁ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲ୍ୟାବ୍‌କୁ ପଠାଇଥିଲେ। ଆରଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରା, ମୋନାଲିସା ଟପୋ, ଦିଷା ଦେଙ୍କ ସମେତ ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ହକି ବିଶ୍ୱକପ୍‌ ପୂର୍ବରୁ ଖାଦ୍ୟ ସୁରକ୍ଷା ନିମନ୍ତେ ଏଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ବେହେରା ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ମଧୁସୂଦନପାଲି ଅଞ୍ଚଳରେ ଥିବା ଏକ ନକଲି ସସ୍‌ ଫ୍ୟାକ୍ଟ୍ରିରେ ଆରଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଢ଼େଇ କୁଇଣ୍ଟାଲ ନକଲି ସସ୍‌ ଜବତ କରାଯାଇଥିଲା।