Categories: ଜାତୀୟ

କୃଷିନୀତିର ପୁନର୍ବିଚାର ହେଉ: ବରୁଣ ଗାନ୍ଧୀ

ନୂଆଦିଲ୍ଲୀ, ୨୪।୧୦:ସରକାର କୃଷିନୀତିର ପୁନର୍ବିଚାର କରନ୍ତୁ ବୋଲି ଭାଜପା ଏମ୍‌ପି ବରୁଣ ଗାନ୍ଧୀ ଶନିବାର ଟୁଇଟର ଯୋଗେ ଆହ୍ବାନ ଦେଇଛନ୍ତି। ଜଣେ ଚାଷୀ ତାଙ୍କର କଷ୍ଟୋପାର୍ଜିତ ଧାନ ଫସଲକୁ ବିକ୍ରିକରି ନ ପାରି ସେଥିରେ ନିଆଁ ଲଗାଇ ଦେଉଥିବାରୁ ଭିଡିଓ କ୍ଲିପ୍‌ ସେ ଟୁଇଟରରେ ଶେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଉତ୍ତରପ୍ରଦେଶର ଚାଷୀ ସମୋଧ ସିଂ ଗତ ୧୫ ଦିନ ହେଲା ଧାନ ବିକିବା ପାଇଁ ମଣ୍ଡିକୁ ଦୌଡ଼ିଥିଲେ। ଧାନ ବିକ୍ରି ନ ହେବାରୁ ସେ ନିରାଶ ହୋଇ ସେଥିରେ ନିଆଁ ଲଗାଇଦେଲେ। ତେବେ ଚାଷୀଙ୍କ ଫସଲ ବିକ୍ରି ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି। କୃଷି ନୀତି ଉପରେ ପୁଣି ଥରେ ବିଚାର କରିବାର ସମୟ ଆସିଛି। ସରକାର କୃଷକମାନଙ୍କ ଦାବି ଗ୍ରହଣ କରନ୍ତୁ ବୋଲି ବରୁଣ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା କୃଷକ ସଂଗଠନଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି। ୩ ଆଇନକୁ ପ୍ରତ୍ୟାହାର କରିନେବାକୁ ଚାଷୀମାନେ ଜିଦ୍‌ ଧରିଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରିବା ନିଷ୍ପତ୍ତିରେ ଅଟଳ ରହିଥିବାରୁ ଅଚଳାବସ୍ଥା ଜାରି ରହିଛି।

Share