ନିଆଯାଇଥିବା ଅଧିକ ଅର୍ଥ ଫେରାଯାଉ

ନୂଆଦିଲ୍ଲୀ, ୬।୧୨: କୋଭିଡ୍‌ ଚିହ୍ନଟ ଲାଗି ହୋଇଥିବା ଆର୍‌ଟି-ପିସିଆର୍‌ ପରୀକ୍ଷାରେ ଘରୋଇ ଲାବ୍‌ ଓ ହସ୍ପ୍‌ିଟାଲଗୁଡ଼ିକ ଅତ୍ୟଧିକ ଦେୟ ନେଇଛନ୍ତି। ଏବେ ସେମାନେ ଉକ୍ତ ଅତିରିକ୍ତ ଅର୍ଥ ଫେରାଇବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଶନିବାର ଆବେଦନ କରାଯାଇଛି। ଭାଜପା ନେତା ତଥା ଆଇନଜୀବୀ ଅଜୟ ଅଗ୍ରଓ୍ବାଲ ସାରା ଦେଶରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଫି ୪୦୦ ଟଙ୍କା ରଖିବା ଲାଗି ପୂର୍ବରୁ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଓଡ଼ିଶା ସରକାର ଏହି ପରୀକ୍ଷା ଦେୟ ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏନେଇ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନୋଟିସ କରିଥିଲେ। ପରୀକ୍ଷା କିଟ୍‌ ଦାମ୍‌ ୮୦୦ରୁ ୧୨୦୦ ଟଙ୍କା ମଧ୍ୟରେ ହୋଇଥିବାବେଳେ କେତେକ ହସ୍ପିଟାଲ ଓ ଲାବରେଟୋରି ପରୀକ୍ଷା ବାବଦରେ ୪୫୦୦ ଟଙ୍କା ନେଇଛନ୍ତି। ଅତିରିକ୍ତ ଟଙ୍କା ସେମାନେ ଫେରାଇବାକୁ ଅଜୟ ପୁଣି ଥରେ ଆବେଦନ କରିଛନ୍ତି।

Share