ହାତିଆସୁଣୀ ପୀଠର ଉନ୍ନତୀକରଣ କରାଯାଉ

ବୋଲଗଡ଼, ୯।୧୦(ଡି.ଏନ୍‌.ଏ.):ରା.େଜ୍ୟ ସରକାର ବିଭିନ୍ନ ପୀଠର ପୁନରୁଦ୍ଧାର ଏବଂ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ସାଗରଗଁା ଗ୍ରାମରେ ଥିବା ହାତିଆସୁଣୀ ପୀଠ ଅବହେଳିତ ଅବସ୍ଥାରେ ରହିଛି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହି ପୀଠର ଉନ୍ନତୀକରଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି। ସୂଚନାଥାଉ କି, ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ହାତିସୁଆଣୀ ପୀଠଟି ବହୁ ପ୍ରାଚୀନ। ପ୍ରାୟ ୯୦୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ମା’ ହସ୍ତିନୀଙ୍କ ଏହି ପୀଠ। ଏଠାରେ ମାନସିକ କଲେ ପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି।
ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବିଶେଷକରି ଶୀତଦିନେ ଏଠାରେ ଲୋକଙ୍କ ଭିଡ଼ ବେଶି ହୋଇଥାଏ। ପ୍ରାକୃତିକ ପରିବେଶ, ଭୋଜି କରିବା ସହ ମା’ଙ୍କ ଦର୍ଶନ, ସେଲ୍ଫି ନେବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିଲେ ମଧ୍ୟ ନିକଟତମ ପର୍ଯ୍ୟଟନସ୍ଥଳୀ ଆରିକମା ଗ୍ରାମର ମା’ କୋଶଳାଶୁଣୀ ଏବଂ ମା’ କୀଚକେଶ୍ବରୀ ଦେବୀଙ୍କ ସହିତ ଏହି ହସ୍ତିନୀ ଦେବୀଙ୍କ ସମ୍ପର୍କ ରହିଥିବା ଅଞ୍ଚଳର ଜନସାଧାରଣଙ୍କଠାରୁ ଶୁଣିବାକୁ ମିଳିଥାଏ। ହାତିଆସୁଣୀ ପୀଠର ଉନ୍ନତୀକରଣ, ଗମନାଗମନ, ପାନୀୟଜଳ ଓ ଆଶ୍ରୟ ପାଇଁ ପକ୍କାଘରର ଆବଶ୍ୟକତା ରହିଛି। ସ୍ଥାନୀୟ ଅଞ୍ଚଳବାସୀ ପୀଠର ଉନ୍ନତୀକରଣ ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇବା ପରେ ପଞ୍ଚାୟତ ପକ୍ଷରୁ କିଛି କାର୍ଯ୍ୟ କରାଯାଇଛି। ତେବେ ଉପରୋକ୍ତ ସମସ୍ୟାଗୁଡିକର ସମାଧାନ ହୋଇପାରିଲେ ଏହି ପୀଠ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇବା ସହ ଅଞ୍ଚଳର ବିକାଶରେ ସହାୟକ ହୋଇପାରନ୍ତା। ଏଥିପ୍ରତି ଜିଲା ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେବାକୁ ସାମାଜିକ କର୍ମୀ କୈଳାସ ଚନ୍ଦ୍ର ରଥ, ଶିକ୍ଷାବିତ୍‌ ମହାଦେବ ପାଟ୍ଟଯୋଶୀ, ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।