ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ ଚାହାନ୍ତି, ଅଧିକାଂଶ ଶିକ୍ଷକଙ୍କ ମନରେ ଛନକା ପଶିଯାଏ! ଲେସନ ପ୍ଲାନ, ଏହାକୁ କିପରି ଶ୍ରେଣୀଗୃହରେ ବ୍ୟବହାର ହେବ? ଏହାକୁ ଆଧାର କରି ଶିକ୍ଷଣ ସାମଗ୍ରୀ କ’ଣ କ’ଣ ପ୍ରସ୍ତୁତ ହୋଇଥିବା ଦରକାର? ଶିକ୍ଷକ କେଉଁ ପ୍ରକାର ପ୍ରଶ୍ନ ପଚାରିବେ ଓ ପିଲାଙ୍କ ସମ୍ଭାବିତ ଉତ୍ତର କ’ଣ ଆସିବ? ଏହିଭଳି ଅବସ୍ଥାରେ ଶିକ୍ଷକ ଅଧିକ ଚିନ୍ତିତ ହୁଅନ୍ତି। ଅନେକ ସମୟରେ ଦେଖାଯାଏ ଶିକ୍ଷକ ଗୋଷ୍ଠୀ ଲେସନ ପ୍ଲାନକୁ ନେଇ ଅସନ୍ତୁଷ୍ଟ ଥାଆନ୍ତି, ଏହା କାହିଁକି? ଶିକ୍ଷକଙ୍କ ମୂଳ ଅସନ୍ତୋଷ ହେଉଛି ଉପରୁ ଥୋପାଯାଉଥିବା ଚାପ, ଯେଉଁଠାରେ ପୂର୍ଣ୍ଣ ଭାବରେ ଲେସନ ପ୍ଲାନ ଲେଖିବାକୁ ପଡ଼େ; ଭିନ୍ନ ଭିନ୍ନ କଲମରେ ସବୁ ଆଶା-ଆଶଙ୍କା ଲେଖିବାକୁ ହୁଏ, ଯଦିଓ ଶିକ୍ଷକମାନେ ଭଲଭାବେ ଜାଣିଥାଆନ୍ତି ଯେ, ସେଥିର ଅଧିକାଂଶ କଥା ବାସ୍ତବରେ ଶ୍ରେଣୀଗୃହରେ କରିବା ସମ୍ଭବ ହେବ ନାହିଁ କିମ୍ବା ଏହାକୁ ପ୍ରୟୋଗ କରନ୍ତି ନାହିଁ! ଏମିତି କାହିଁକି ହେଉଛି ଏବଂ ପ୍ରାୟ ସମସ୍ତ ଅଞ୍ଚଳରେ କାହିଁକି ଏହିଭଳି ପରିସ୍ଥିତି।
ପ୍ରକୃତରେ ଜଣେ ପ୍ରାଥମିକ ଶିକ୍ଷକକୁ ନିଜର ଲେସନ ଡାଏରି ପ୍ରସ୍ତୁତ କରିବା ଓ ଲେଖିବା ପାଇଁ ଅନେକ ସମୟ ଦେବାକୁ ପଡ଼ିଥାଏ। ଯଦି ସେ ଲେସନ ପ୍ଲାନ ଅନୁସାରେ ଶିକ୍ଷାଦେବେ, ତେବେ ସେ ଯାହା ପ୍ରସ୍ତୁତ ହୋଇ ଆସିଥିବେ, ତାହାକୁ ଆଧାର କରି ଶିକ୍ଷା ଦେବ। ଶିକ୍ଷକ ତାଲିମ ପ୍ରଶିକ୍ଷଣର ଜଣେ ଟିଚର ଏଡ଼ୁକେଟରଙ୍କ ସହ ଆଲୋଚନା କ୍ରମେ ସେ ମତ ଦେଇଥିଲେ ଯେ, ଏଠାରେ ତାଲିମ ନେବା ସମୟରେ ଲେସନ ପ୍ଲାନ ବ୍ୟବହାର କରିଥାଆନ୍ତି, କିନ୍ତୁ ଶିକ୍ଷକ ଚାକିରି କରିବା ପରେ ଏହାର ପ୍ରୟୋଗ କରିବା କ୍ୱଚିତ ଦେଖାଯାଇଥାଏ।
କିଛିଦିନ ତଳେ ଗ୍ରାମାଞ୍ଚଳର କିଛି ପ୍ରାଥମିକ ବିଦ୍ୟାଳୟର ତୃତୀୟରୁ ପଞ୍ଚମ ଶ୍ରେଣୀର ଶିଶୁଙ୍କ ଭାଷା ସମ୍ବନ୍ଧୀୟ ଉତ୍ତରଖାତା ଦେଖୁଥିଲି। ସେଥିରେ ପଞ୍ଚମ ଶ୍ରେଣୀ ଶିଶୁଙ୍କ ଲିଖନ ଶୈଳୀ ଉପରେ ଏଠାରେ ଉପସ୍ଥାପନା କରିବାକୁ ଚାହୁଁଛି। ବିଷୟ ଥିଲା ଚିତ୍ରକୁ ଆଧାର କରି ୧୦ ଧାଡ଼ିରେ କାହାଣୀ ଲେଖ ଏବଂ କାହାଣୀକୁ ସୁନ୍ଦର ଭାବରେ ସମାପ୍ତ କର। ପ୍ରାୟତଃ ୫୦ଟି ଖାତା ମଧ୍ୟରୁ ସୃଜନାତ୍ମକ ଭାବରେ ୨ରୁ ୩ ଜଣ କାହାଣୀକୁ ସୁନ୍ଦର ଭାବରେ ଲେଖିଥିଲେ ଓ ଶେଷ କରିଥିଲେ। ଆଉ ୧୦ ଜଣ ଖଣ୍ଡେ ଚିତ୍ରକୁ ଦେଖି ନିଜର ପରିବେଶକୁ ଆଧାର କରି ଲେଖିଥିଲେ ସୁନ୍ଦର ଅକ୍ଷର ମାଧ୍ୟମରେ। ଆଉ ୧୦ ଜଣ ଲେଖିଥିଲେ କିନ୍ତୁ ସେଥିରେ ଅନେକ ବନାନ ଭୁଲ୍ ଥିଲା। କେତେକ ଶବ୍ଦ ଲେଖିଥିଲେ ଏବଂ ୧୦ରୁ ୧୫ ଜଣ କିଛି ଲେଖି ନ ଥିଲେ ବା ଖାଲି ଛାଡ଼ିଦେଇଥିଲେ। କାଁ ଭାଁ କେତେକ ନିଜର ଭାଷାର ବାକ୍ୟ ଲେଖିଥିଲେ।
ଖାତା ଦେଖି ଅନୁଭବ କରୁଥିଲି ଶ୍ରେଣୀଗୃହରେ କେତେ ଧରଣର ଶିଶୁ! କେତେ ସ୍ତରର ଶିଶୁ! ଶ୍ରେଣୀଗୃହରେ ଯଦି ୨୫ଟି ଶିଶୁ ଅଛନ୍ତି, ତେବେ ପଚିଶି ଧରଣର ଶିଶୁ। ସେମାନଙ୍କ ପାଇଁ କ’ଣ ଗୋଟିଏ ପ୍ରକାର ଲେସନ ଯୋଜନାରେ କାର୍ଯ୍ୟକାରୀ ହେବ ଓ ସବୁ ଶିଶୁ ଏକାପ୍ରକାରେ ଶିକ୍ଷାଦାନକୁ ଗ୍ରହଣ କରିଯିବେ। ଶିକ୍ଷକଙ୍କୁ ଯଦି ଲେସନ ପ୍ଲାନ କରିବା ପୂର୍ବରୁ ପିଲାଙ୍କର ସ୍ତର, ପିଲା କେଉଁ ପରିବେଶରୁ ଆସୁଛନ୍ତି, କେଉଁ ପ୍ରକାର ଶିଶୁଙ୍କୁ ବୁଝାଇଲେ ତାହା ଧରିପାରିବେ, ଶିଶୁଟିର ଘର ପରିବେଶ କିପରି ରହିଛି, ଏହିଭଳି ଅନେକ ପ୍ରକାର ବିଷୟକୁ ଦୃଷ୍ଟି ଦେବାକୁ ପଡ଼ିବ। ଏ ସବୁକୁ ଯଦି ଦୃଷ୍ଟି ନ ଦେଇ କେବଳ ନାମକୁମାତ୍ର ଲେସନ ପ୍ଲାନ କରାଯାଏ, ତେବେ ଶିକ୍ଷକ କେବଳ ତାଙ୍କ ଦାୟିତ୍ୱ ଶ୍ରେଣୀଗୃହରେ କରିଦେବେ;ହେଲେ ପିଲାଏ କିଛି ବୁଝିବେନି, ଅନ୍ୟ ମନସ୍କ ହେବେ, ଦୁଷ୍ଟାମି କରିବେ କିମ୍ବା ଶ୍ରେଣୀଗୃହ ଅନେକ ଶିଶୁଙ୍କୁ ଭାରାକ୍ରାନ୍ତ ଲାଗିବ।
ଓଡ଼ିଶାର ଯେକୌଣସି ଅଞ୍ଚଳରେ ଗୋଟିଏ ଶ୍ରେଣୀରେ କେତେ ଧରଣର ଶିଶୁ ଶ୍ରେଣୀଗୃହରେ ଥାଆନ୍ତି ଭାଷାଗତ ବିବିଧତାକୁ ନେଇ। ବିଦ୍ୟାଳୟରେ ଅନୁମାନ କଲେ, ଶିଶୁର ମାତା ପିତା ଅନ୍ୟ ଭାଷାରେ ଘରେ କଥା ହୋଇଥାଆନ୍ତି କିମ୍ବା ସ୍ଥଳବିଶେଷରେ କିଲୋମିଟର ମଧ୍ୟରେ ଭାଷାର ବିବିଧତା ଦେଖାଯାଏ। କିଏ ଆଦିବାସୀ ପରିବାରର ହୋଇଥିଲେ ମଧ୍ୟ ମାତାପିତା ପାଠପଢ଼ି ଓଡ଼ିଆ ଭାଷାରେ ଘରେ କଥାବାର୍ତ୍ତା କରିଥାଆନ୍ତି, କିନ୍ତୁ ସେମାନଙ୍କର ଭାଷାଗତ ଦକ୍ଷତା କମ୍ ଥାଏ। କେଉଁ ଶିଶୁଟି ନିଜେ କେତୋଟି ଶବ୍ଦ ସହିତ ପରିଚିତ ଥାଏ, ତାହାର ଶିଖିବା ଉପରେ ବା ପାଠ ଧରିବା ଉପରେ ନିର୍ଭର କରେ। ଶିଶୁମାନେ ବିଭିନ୍ନ ପ୍ରକାର ପରିବେଶରୁ ଆସିଥାନ୍ତି, ସେହି ଦୃଷ୍ଟିରୁ ସେମାନଙ୍କ ପାଇଁ ଲେସନ ପ୍ଲାନ କିପରି ହେବ, ଶିକ୍ଷାଦାନ କିପରି ହେବା ଦରକାର, ଶିକ୍ଷକଙ୍କୁ ନିଜେ ହିଁ ତାହା ହୃଦୟଙ୍ଗମ କରି ବୁଝିବାକୁ ପଡ଼ିବ।
କେବଳ ଲେସନ ପ୍ଲାନକୁ ଆଧାରି କରି ଶିକ୍ଷାଦାନ ସମୟରେ ଶ୍ରେଣୀଗୃହକୁ ସକ୍ରିୟ କରିବା, ଶ୍ରେଣୀଗୃହରେ ଶିଶୁଙ୍କୁ ବୁଝି, ସେମାନଙ୍କର ଆଗ୍ରହ ଓ ବୁଝିବାର ସୁଯୋଗ ଓ ଶିକ୍ଷକ-ଛାତ୍ରଙ୍କ ସ୍ବାଭାବିକ କଥୋପକଥନକୁ ସଂକୁଚିତ ବା ଅଣଦେଖା କରାଯାଇଥାଏ। ଅନେକ ସମୟରେ ଦେଖାଯାଏ ଶିକ୍ଷା ଅଧିକାରୀ ଏମିତି ଏକ ଲେସନ ପ୍ଲାନ ଚାହିଁଥାନ୍ତି, ଯାହାକୁ ଶିକ୍ଷକଙ୍କୁ ନିର୍ଦ୍ଧାରିତ କରିବାକୁ ପଡ଼ିଥାଏ। ଫଳରେ ଶ୍ରେଣୀଗୃହରେ ଶିକ୍ଷାଦାନ ସମୟରେ ଶିକ୍ଷକ କମ୍ ସ୍ବାଧୀନତା ପାଇଥାଆନ୍ତି। ପିଲାଙ୍କୁ ବୁଝିବା କଷ୍ଟକର ହୋଇଥାଏ। ଏବଂ ଲେସନ ପ୍ଲାନ ପୂର୍ବ ନିର୍ଦ୍ଧାରିତ ହୋଇଥିବାରୁ ସେଥିରେ ସୃଜନଶୀଳତା ଓ ଶିକ୍ଷକର ସ୍ବାଧୀନତା ରହି ନ ଥାଏ।
ଗତ କିଛିବର୍ଷ ହେଲା ଦେଖାଯାଉଛି ଯେ, ଶିକ୍ଷକମାନେ ଅନ୍ୟ କିଛି କାର୍ଯ୍ୟରେ ସମ୍ପୃକ୍ତ ହେବା ଦ୍ୱାରା ଚାପରେ ରହୁଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଉଛି, ପରିଚାଳକ ତଥା ଅଧିକାରୀ ନିଜକୁ ସବୁକିଛିର ନିୟନ୍ତ୍ରକ ବୋଲି ଭାବନ୍ତି। ସେମାନେ ଶିକ୍ଷକଙ୍କ ଉପରେ କଠୋର ନୀତିନିୟମ ଓ ପୂର୍ବନିର୍ଦ୍ଧାରିତ କାର୍ଯ୍ୟ ଥୋପିବାକୁ ଚେଷ୍ଟା କରନ୍ତି। ଅନେକ ସମୟରେ ଶିକ୍ଷକମାନେ ଉପରିସ୍ଥ ଶିକ୍ଷା ଅଧିକାରୀଙ୍କର ଆବଶ୍ୟକତା ପୂରଣରେ ବ୍ୟସ୍ତ ହୋଇ ଶିଶୁଙ୍କ ପାଇଁ ଯେତେ ଭଲ କରିପାରିଥାଆନ୍ତେ, ସେତେ କରିପାରନ୍ତି ନାହିଁ।
ବର୍ତ୍ତମାନ ପରିପ୍ରେକ୍ଷୀରେ ପରିଚାଳକ ବା ଶିକ୍ଷା ଅଧିକାରୀଙ୍କୁ ଅଧିକ ଭାବରେ ଦୃଷ୍ଟିଦେବାକୁ ପଡ଼ିବ। ଶିକ୍ଷକଙ୍କୁ କେବଳ କେତେକ ନିୟମ ମାନିବାକୁ ବାଧ୍ୟ କରିବା ପରିବର୍ତ୍ତେ, ସେମାନଙ୍କୁ କିପରି ସହଯୋଗ କରାଯାଇପାରିବ, ତାହା ଉପରେ ଗୁରୁତ୍ୱ ଦେବା ଦରକାର। ଯାହାଦ୍ୱାରା କି ସେମାନେ ଶ୍ରେଣୀଗୃହରେ ଶିଶୁଙ୍କ ଶିକ୍ଷାଦାନରେ ଉତ୍ତମ ପ୍ରଦର୍ଶନ କରିପାରିବେ। କିଛି ସମୟ ପାଇବେ, ଯାହା କି ସେମାନଙ୍କର ନିଜର ଶିକ୍ଷାଦାନରେ ପ୍ରୟୋଗ କରିବା ପାଇଁ ହେଉ ନିଜର ସାମର୍ଥ୍ୟର ବିକାଶ କରିବେ। ନିଜର ଶିକ୍ଷାଦାନ ପ୍ରଣାଳୀ ଏବଂ ପିଲାଙ୍କ ଉପରେ ଏହା କେତେଦୂର ପ୍ରଭାବ ପଡ଼ୁଛି, ତାହାକୁ ସମୀକ୍ଷା କରିବା ପାଇଁ ମଧ୍ୟ ସେମାନେ ସୁଯୋଗ ପାଇବେ।
ଶିକ୍ଷକଙ୍କୁ ସବୁ ସମୟରେ ନିଜକୁ ସମ୍ବଳବ୍ୟକ୍ତିଟିଏ ହେବାକୁ ପଡ଼ିବ। ନିଜକୁ ସବୁବେଳେ ଆଗକୁ ଆଗକୁ ଅଗ୍ରଗତି କରିବାକୁ ପଡ଼ିବ। ଶିଶୁଟି କେଉଁ କାରଣରୁ ଦୁର୍ବଳ ତାହାକୁ ବୁଝି ନିରାକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଶିଶୁ କେଉଁଥିରେ ଭଲ କରୁଛି ତାହାକୁ ଉତ୍ସାହିତ କରି ଆତ୍ମବିଶ୍ୱାସ ବଢ଼ାଇବାକୁ ପଡ଼ିବ। କେଉଁ କୌଶଳ ପ୍ରୟୋଗ କଲେ ଶ୍ରେଣୀଗୃହର ସମସ୍ତ ଶିଶୁ ନିଜ ନିଜର ଶିକ୍ଷଣ ସ୍ତରର ଉନ୍ନତି କରିବେ, ପାଠପଢ଼ା ପ୍ରତି ସ୍ବତଃପ୍ରବୃତ୍ତ ଯତ୍ନବାନ ହେବେ, ଶିଶୁଙ୍କୁ ଶ୍ରେଣୀଗୃହ ଭାରାକ୍ରାନ୍ତ ଲାଗିବ ନାହିଁ, ଶ୍ରେଣୀଗୃହଗୁଡ଼ିକରେ ଶିଶୁଙ୍କ ଉପସ୍ଥାନ ବଢ଼ିବ, ସେଥିପ୍ରତି ଶିକ୍ଷକ ସମାଜ ଓ ଶିକ୍ଷା ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବରେ ଦୃଷ୍ଟିଦେବାକୁ ପଡ଼ିବ।
– ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦