ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପ୍ରଶାସନ, କୃଷି ବିଭାଗ ସମ୍ପୃକ୍ତ ଲାଇନ ବିଭାଗ, ଚାଷୀ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ, ଅତିରିକ୍ତ ଜିଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ଉପସ୍ଥିତ ଥିଲେ। ସଭାରେ ଚଳିତ ବର୍ଷ ଏଲ ନିନୋର ପ୍ରଭାବରେ କମ୍ ବର୍ଷା ହେବ ବୋଲି କୃଷି ବୈଜ୍ଞାନିକମାନେ ଆକଳନ କରିଥିବାରୁ ଖରିଫ ଧାନ, ପନିପରିବାର ଫସଲ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଭୂତଳ ଜଳସ୍ତର କମିଯିବାରୁ କୂଅ ଓ ଜମିରେ କମ୍ ପାଣି ଆସୁଛି, ଯାହାକି ଭବିଷ୍ୟତ ପାଇଁ ବିପଦ। ଏଣୁ ବର୍ଷା ଜଳ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ଚାଷୀଙ୍କ ଜମିରେ ଗାତ କରି ଜଳର ସଂରକ୍ଷଣ ହୋଇ ଫସଲ ହୋଇପାରିବ, ସେହି ବିଷୟରେ ଆଲୋଚନା ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାକୃତିକ ଚାଷକୁ ଓ ମାଟିର ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଥିବାରୁ ଚାଷୀଙ୍କ ଜମିର ହୁଡାରେ ଓ ପତିତ ଜମିରେ ନିମ୍ବଗଛ ଲଗାଇଲେ ମାଟିର ଉର୍ବରତା ବଢିବା ସଙ୍ଗେ ସଙ୍ଗେ ପରିବେଶର ସୁରକ୍ଷା ହୋଇ ଭଲ ବର୍ଷା ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଗଞ୍ଜାମର ବୁରୁଡି ଠାରେ ଦୀର୍ଘ ୨୦୦୮ରୁ ମାର୍କେଟିଂ ସେଣ୍ଟର ଓ ଶୀତଳ ଭଣ୍ଡାର ଥିଲେ ହେଁ ସେହିଗୁଡିକ ଚାଷୀଙ୍କ ହିତରେ ଆସୁନାହିଁ। ବିଭାଗୀୟ ଆଦାୟକାରୀଙ୍କ ନିଷ୍କ୍ରିୟତା ଯୋଗୁ ଏଭଳି ହୋଇପଡିରହିଛି ବୋଲି ଅଭିଯୋଗ ହୋଇଛି। ଯାହାଦ୍ୱାରା ଚାଷୀମାନେ ଟମାଟ ପ୍ରତି କେଜି ୩ ଟଙ୍କାରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ବାଧ୍ୟ ହୋଇଥିଲେ। ଏବେ ଟମାଟୋ ବଜାରରେ କେଜି ପ୍ରତି ୫୦ ଟଙ୍କାରେ ପହଞ୍ଚିଛି। ଯଦି ୨ ମାସ ତଳେ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା, ତେବେ ଖାଉଟି ଏବଂ ଚାଷୀ ଉଭୟ ଲାଭବାନ ହୋଇଥାନ୍ତେ ବୋଲି ପ୍ରକାଶ କରିଯାଇଥିଲା।
ଏଣୁ ତୁରନ୍ତ ବୁରୁଡି ଠାରେ ମାର୍କେଟିଂ ସେଣ୍ଟର ଓ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବି ହୋଇଥିଲା। ଖରିଫ ଚାଷ ପାଇଁ ସମସ୍ତ ଉଠାଜଳ ସେଚନ ପ୍ରକଳ୍ପ କାମ ନିୟମିତ କରିବା, ସମସ୍ତ ଶାଖା କେନାଲର ମରାମତି କରି ତଳ ମୁଣ୍ଡକୁ ଜଳ ସେଚିତ କରିବା ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ଚାଷୀଙ୍କ ଚାହିଦା ମୁତାବକ ଧନିଚା, ଧାନ ଓ ପନିପରିବା ବିହନ ଆଦି ବାରହା, ମାଙ୍କଡ଼ ଆଦି ବନ୍ୟଜନ୍ତୁଙ୍କ କବଳରୁ ଫସଲର ସୁରକ୍ଷା ପାଇଁ ସୋଲାର ଝଟକା ମେଶିନ ଯୋଗାଇବା, ସୋଲାର୍ ପମ୍ପ ଓ କୂଅ କରିବାକୁ ରିହାତି ଦେବା, ସମସ୍ତ ଲାଇନ ବିଭାଗକୁ ନେଇ ଏକ ସମନୟ କମିଟି ଗଠନ କରି ଦୁଇ ମାସକୁ ଥରେ କୃଷିର କାର୍ଯ୍ୟକ୍ରମ ସମୀକ୍ଷା କରିବା, ଗ୍ରାମ ସେବକ ଓ ଅଧିକାରୀମାନେ ଚାଷୀଙ୍କ ନିକଟକୁ ଯାଇ ସଭାରେ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ବିଷୟରେ ଆଲୋଚନା ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମର ଦାୟିତ୍ୱରେ ବିଭାଗୀୟ ଅଫିସରମାନେ ରହିବେ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ। ଆସନ୍ତା ଦିନ ମଧ୍ୟରେ ଗଞ୍ଜାମ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆଉ ଏକ ଚାଷୀ ସଭା ଆୟୋଜନ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ସମସ୍ତ ତଥ୍ୟ ପେପରଲେସ ଭାବରେ ଡାଟାବେସ ରକ୍ଷଣାବେକ୍ଷଣ କରାଯିବ। ଆସନ୍ତା ୧୨ ତାରିଖରେ ସବୁ ବିଭାଗର କର୍ମଚାରୀ ଏ. ସଞ୍ଜୀବ ରେଡ୍ଡୀଙ୍କ ଜୈବିକ କୃଷି ଫାର୍ମ ପରିଦର୍ଶନ କରିବେ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।