କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର ଗୋଟିଏ ହେଟାବାଘର ମୃତଦେହ ଜବତ କରାଯାଇଛି । ଏକ ବଡ ଗାଡି ଧକ୍କାରେ ହେଟାବାଘର ମୃତ୍ୟୁ ହୋଇଥିବା ଜଣାପଡିଛି
ଅନ୍ୟପକ୍ଷେ କେତେକ ଦୁର୍ୱୃତ୍ତ ମୃତ ହେଟାବାଘର ଗୋଟିଏ ଗୋଡ, ଲାଞ୍ଜ ଏବଂ ନଖ କାଟି ନେଇଯାଇଥିବା ଦେଖିବାକୁ ମିଳିଛି । ଖବରପାଇ କାଲିମେଳା ରେଞ୍ଜର ବିଜୟ କୁମାର ନାୟକ, ଫରେଷ୍ଟର ମୃତ୍ୟୁଞ୍ଜୟ ସେଠୀ ଏବଂ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କାଲିମେଳା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଜବତ ହେଟାବାଘର ମୃତଦେହ ବ୍ୟବଚ୍ଛେଦ କରାଯାଇଛି l ଏହା ଏକ ଅଣ୍ଡିରା ବାଘ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୫ ବର୍ଷ ଏବଂ ଉଚ୍ଚତା ସାଢ଼େ ତିନି ଫୁଟ ବୋଲି କାଲିମେଳା ରେଞ୍ଜର ନାୟକ କହିଛନ୍ତି । ବ୍ୟବଚ୍ଛେଦ ପରେ ହେଟାକୁ ନେଇ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପୋତି ଦିଆ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

