ସ୍ତନ କର୍କଟ ଭଲ କରିବ ନିମ୍ବପତ୍ର

ଭୁବନେଶ୍ୱର, ୭।୧୦(ଅସମାପିକା ସାହୁ): ନିମ୍ବପତ୍ର ସ୍ତନ କର୍କଟ ବା ବ୍ରେଷ୍ଟ୍‌ କ୍ୟାନ୍‌ସରକୁ ମୂଳପୋଛ କରିପାରିବ। କ୍ୟାନ୍‌ସର ଷ୍ଟେମ୍‌ ସେଲ୍‌କୁ ନିମ୍ବପତ୍ରରୁ ପ୍ରସ୍ତୁତ ଔଷଧ ମାରିଦେବ। ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍‌ର ଏଭଳି ଗୁଣ ଥିବା ନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ଭୁବନେଶ୍ୱର ଦାବି କରିଛି। ନିକଟରେ ଆଇଏଲ୍‌ଏସ୍‌ ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ୍‌ ନିମ୍ବୋଲାଇଡ୍‌ ଉପରେ ଗବେଷଣା କରି ଏଭଳି ତଥ୍ୟ ହାସଲ କରିଛନ୍ତି। ଏ ନେଇ ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍‌ ଏସିଡ୍‌ସରେ ତଥ୍ୟ ଭିତ୍ତିକ ଗବେଷଣା ପ୍ରକାଶିତ ପାଇଛି। ଏପରିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍‌ସରକୁ ନିମ୍ବୋଲାଇଡ୍‌ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ୍‌ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି। ଏବେ କ୍ୟାନସରର ଚିକିତ୍ସା ଲାଗି କେମୋଥେରାପି ବ୍ୟବସ୍ଥା ରହିଛି। କେମୋଥେରାପି କ୍ୟାନ୍‌ସର ସେଲ୍‌ ସହ ଶରୀରର ସାଧାରଣ ସେଲ୍‌କୁ ମଧ୍ୟ ନଷ୍ଟ କରିଥାଏ। କିନ୍ତୁ ଆଇଏଲ୍‌ଏସ୍‌ ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍‌ କେବଳ କ୍ୟାନସର ସେଲ୍‌କୁ ହିଁ ନଷ୍ଟ କରୁଛି। ଏମିତିକି ନିମ୍ବୋଲାଇଡ୍‌ ସ୍ତନ କର୍କଟ ସହ ଶରୀରର ଅନ୍ୟ ଅଂଶରେ ଦେଖାଦେଉଥିବା କ୍ୟାନସର ସେଲକୁ ଭଲ କରିପାରୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଆଇଏଲ୍‌ଏସ୍‌ ଭୁବନେଶ୍ୱର ସ୍ତନ କର୍କଟ ଚିକିତ୍ସା ଲାଗି କେମୋଥେରାପି ସହ ନିମ୍ବୋଲାଇଡ ବ୍ୟବହାର ଉପରେ ଅଧିକ ଗବେଷଣା ଜାରି ରଖିଥିବା ସୂଚନା ଦିଆଯାଇଛି।