ବିଧାୟକ, ମନ୍ତ୍ରୀଙ୍କ ହେବ କରୋନା ପରୀକ୍ଷା

ଭୁବନେଶ୍ୱର, ୮।୯(ବ୍ୟୁରୋ): ଚଳିତମାସ ଶେଷ ସୁଦ୍ଧା ବିଧାନସଭା ଅଧିବେଶନ ବସିବ। ବୈଠକ ବସିବାର ଦୁଇଦିନ ପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଅଧିବେଶନର ପ୍ରସ୍ତୁତି ଓ ବିଧାୟକମାନଙ୍କର କରୋନା ପରୀକ୍ଷା ନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ, ଅଧିବେଶନରେ ଯୋଗଦେଉଥିବା ସମସ୍ତ ବିଧାୟକ, କର୍ମଚାରୀମାନଙ୍କର ସ୍ବାସ୍ଥ୍ୟ ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଧିବେଶନର ଦୁଇଦିନ ପୂର୍ବରୁ ସମସ୍ତଙ୍କର ଆରଟିପିସିଆର କୋଭିଡ୍‌-୧୯ ପରୀକ୍ଷା କରାଯିବ। ଯେଉଁମାନଙ୍କର କରୋନା ନେଗେଟିଭ ଆସିବ ସେମାନଙ୍କୁ ଗୃହକାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିବ। ଯେଉଁମାନଙ୍କର ପଜିଟିଭ ଆସିବ ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବାଚସ୍ପତି କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ କୋଭିଡ୍‌-୧୯ ଟେଷ୍ଟ କରିବେ। ଏହି ଟେଷ୍ଟ ସକାଳ ୬ଟାରୁ ଆରମ୍ଭ ହେବ। ସମସ୍ତଙ୍କର ସ୍ବାବ ସଂଗ୍ରହ କରାଯିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କ ରିପୋର୍ଟ ଆସିବ ବୋଲି ପାତ୍ର କହିଛନ୍ତି। ପରବର୍ତ୍ତୀ ୫ ଦିନ ପରେ ମଧ୍ୟ ପୁଣିଥରେ କୋଭିଡ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।
ଆବଶ୍ୟକ ସ୍ଥଳେ ଅଧିବେଶନ ସମୟରେ ଆଣ୍ଟିଜେନ ଟେଷ୍ଟ କରାଯିବ। ଅଧିବେଶନ ଆରମ୍ଭର ଦୁଇଦିନ ପୂର୍ବରୁ ଏବଂ ଶେଷ ହେବା ଯାଏ ବିଧାୟକମାନେ ଗୃହ ସଂଗରୋଧରେ ରହିବେ। ଅନ୍ୟମାନଙ୍କ ସହ ମିଳାମିଶାକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବିଧାୟିକା ଓ ବିଧାୟକମାନେ ଭିଡିଓ କନଫରେନ୍ସ ଜରିଆରେ ଅଧିବେଶନରେ ଅଂଶ ଗ୍ରହଣ କରିବେ। ଏଥିନିମନ୍ତେ ଯଥେଷ୍ଟ ପୂର୍ବରୁ ବିଧାନସଭା ସଚିବାଳୟ ପକ୍ଷରୁ ଜଣାଇ ଦିଆଯିବ। ବିଧାୟକମାନଙ୍କୁ ଫେସସିଲ୍ଡ, ମାସ୍କ, ହ୍ୟାଣ୍ଡ ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଛି।
ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।