Categories: ଜାତୀୟ

ଏନଆରଆଇ-ପ୍ରବାସୀ ଶ୍ରମିକଙ୍କୁ ମତଦାନ ଅଧିକାର ପାଇଁ ହେବ ଆଇନ: କେନ୍ଦ୍ରର ପ୍ରତିଶ୍ରୁତି ପରେ ଶୁଣାଣି ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୧୧ : ଭାରତ ବାହାରେ ରହୁଥିବା ଏନଆରଆଇମାନଙ୍କୁ ଭୋଟ ଅଧିକାର ପ୍ରଦାନ ପ୍ରସଙ୍ଗରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି ଯେ ୨୦୧୩ରେ ଦାଖଲ ହୋଇଥିବା ଏହି ପିଟିଶନରେ ଦିଆଯାଇଥିବା ଦାବି ସହିତ ସରକାର ଏବଂ ନିର୍ବାଚନ ଆୟୋଗ ଏକମତ ଅଟନ୍ତି। କେନ୍ଦ୍ର ସରକାର ଏନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଏନଆରଆଇଙ୍କ ଭୋଟ ଆରମ୍ଭ ପର୍ଯ୍ୟନ୍ତ ଶୁଣାଣି ଜାରି ରଖିହେବ ନାହିଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି କହିଛନ୍ତି ଯେ କେବଳ ଏନଆରଆଇ ଭାରତୀୟ ନୁହଁନ୍ତି ଭାରତରେ ନିଜ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମଧ୍ୟ ଭୋଟ ଦେବାର ସୁଯୋଗ ଦିଆଯିବ। ଇଲୋକ୍ଟ୍ରୋନିକ୍ସ ଭୋଟିଂକୁ ନେଇ ମଧ୍ୟ ବିଚାର କରାଯାଉଛି। ଏଭଳି ବ୍ୟବସ୍ଥା କରାଯିବ ଯାହାଦ୍ୱାରା ନିର୍ବାଚନ ପ୍ରକ୍ରିୟାର ଗୋପନୀୟତା ଯେଭଳି ପ୍ରଭାବିତ ନହୁଏ। କୋର୍ଟ ଏହା ଉପରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ସମ୍ମୁଖରେ ରଖାଯାଇଥିବା ରେକର୍ଡ ପଢ଼଼ିବାବେଳେ କହିଛନ୍ତି, ୨୦୧୩ରେ ଆମେ ଏକ ନୋଟିସ ଜାରି କରିଥିଲୁ। ନିର୍ବାଚନ ଆୟୋଗ ଏକ କମିଟି ଗଠନ କରି ଏନଆରଆଇ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ଭୋଟ ଦେବାର ସୁଯୋଗ ଦେବା ପାଇଁ ବିଚାର କରିଥିଲେ। କମିଟିର ସୁପାରିଶକୁ ଗ୍ରହଣ କରାଯାଇଥିଲା। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିଛନ୍ତି।

ସେ କହିଛନ୍ତି ଯେ ୨୦୧୮ ରେ ଲୋକସଭାରେ ଲୋକ ପ୍ରତିନିଧୀ ଅଧିନିୟମର ଧାରା ୬୦ ସଂଶୋଧନ ପାଇଁ ଏକ ଆଇନ ପ୍ରଣୟନ କରାଯାଇଥିଲା। ଆଇନ ଏପର୍ଯ୍ୟନ୍ତ ପ୍ରଣୟନ ହୋଇନାହିଁ, କିନ୍ତୁ ଆମେ ବୁ ଝିପାରୁଛୁ ଯେଉଁ ଉଦ୍ଦେଶ୍ୟରେ ଆବେଦନ କରାଯାଇଥିଲା ତାହା ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ସରକାର ଏକ ଉପଯୁକ୍ତ ବ୍ୟବସ୍ଥା କରିବେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକ ଶୁଣାଣି କରିବାର ଆବଶ୍ୟକତା ନାହିଁ।

ଦେଶରେ ଏନଆରଆଇ ମାନଙ୍କୁ ଭୋଟ ଦେବାର ଅଧିକାର ଦେବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ୨୦୧୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ ଏନଆରଆଇ ମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ସରକାର ଉଦ୍ୟମକୁ ଜୋରଦାର କରିବାକୁ ଯାଉଛନ୍ତି। ତେବେ, ୧୨ ବର୍ଷ ପରେ, ପରିସ୍ଥିତି ସମାନ ରହିଛି।

ଯଦିଓ ଭାରତ ସରକାର ଆମେରିକା, କାନାଡା ଏବଂ ବ୍ରିଟେନ ପରି ଦେଶର ଲୋକଙ୍କୁ ଓଭରସିଜ ସିଟିଜେନ ଅଫ ଇଣ୍ଡିଆ (ଓସିଆଇ) ର ସୁବିଧା ଦେଇଛନ୍ତି। ଏହା ଅନ୍ତର୍ଗତ, ଭାରତୀୟ ନାଗରିକଙ୍କ ପରି ଏନଆରଆଇଙ୍କରର ସମସ୍ତ ଅଧିକାର ଅଛି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିନାହିଁ ।

Share