୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ। ତେଙ୍କୁ ଘରେ ସମସ୍ତେ ଫିକୋ ବୋଲି ଡାକୁଥିଲେ। ରାସ୍ତାରେ ଫକିରଙ୍କୁ ଗାଉଥିବା ଶୁଣି ରଫି ଗୀତ ଗାଇବା ଆରମ୍ଭ କଲେ।
୧୯୪୫ ମସିହାରେ ସେ ଗାଓଁ କି ଗୋରି ଚଳଚିତ୍ରରେ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ଏହା ପରେ ରଫି ସୁରେନ୍ଦ୍ର, ନୁର ଜାହାନ ଏବଂ ସୁରୟାଙ୍କ ଅଭିନୀତ ମେହବୁବ ଖାନଙ୍କ ଚଳଚ୍ଚିତ୍ର ଅନମୋଲ ଘଡିରେ ରେ ଗୀତ ଗାଇବାର ସୁଯୋଗ ପାଇଲେ। ଗୀତ ଗାଇବା ଛଡ଼ା ରଫିଙ୍କୁ ବ୍ୟାଡମିଣ୍ଟନ ଖେଳିବା ଓ ଗୁଡ଼ି ଉଡ଼ାଇବା ଖୁବ ଭଲ ଲାଗୁଥିଲା। ତତକାଳୀନ ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଇଁ ସେ ଗୀତ ଗାଇଥିଲେ। ଲତା ମଙ୍ଗେଶକରଙ୍କ ସହ ଅନେକ ହିଟ ଗୀତ ସେ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ୧୯୬୨ରେ ସଂଗଠିତ ହୋଇଥିଲା ଭାରତ-ଚାଇନା ଯୁଦ୍ଧ। ଏହି ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ସାହସ ଓ ଆତ୍ମବଳ ବୃଦ୍ଧି ପାଇଁ କଣ୍ଠଶିଳ୍ପୀ ମହମ୍ମଦ ରଫି ନିଜର ଯୋଗଦାନ ଦେଇଥିଲେ। ମହମ୍ମଦ ରଫି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ। ସେଠାରେ ସେ ୧୪ ହଜାର ଫୁଟ ଉଚ୍ଚ ସ୍ଥିତ ସାଙ୍ଗଲାରେ ଦେଶଭକ୍ତି ଗୀତ ଗାଇ ସୈନିକମାନଙ୍କର ମନୋବଳ ବୃଦ୍ଧି କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ବିଷୟରେ ଗୋଟିଏ କଥା ଖୁବ କମ ଲୋକ ଜାଣନ୍ତି ଯେ ସେ ଗୀତ ଗାଇବା ପୂର୍ବରୁ ପାରିଶ୍ରମିକ ପ୍ରସଙ୍ଗ ଉଠାନ୍ତି ନାହିଁ। ଯଦି ସ୍ବର ତାଙ୍କ ମନକୁ ଛୁଏଁ ସେ ଖୁସିରେ ଗୀତ ଗାଇଥା’ନ୍ତି। ହେଲେ ଗୀତ ପାଇଁ ତାଙ୍କୁ କେତେ ଟଙ୍କା ପାରିଶ୍ରମିକ ମିଳିବ, ସେ କଥା ରଫି କେବେ ବି ସଙ୍ଗୀତକାରଙ୍କୁ ପଚାରନ୍ତି ନାହିଁ କି ଅନ୍ୟକାହାଠୁ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। ମହମ୍ମଦ ରଫି କେତେକ ଗୀତ ମାତ୍ର ଏକ ଟଙ୍କା ନେଇ ବି ଗାଇଛନ୍ତି ବୋଲି କୁହାଯାଏ। ଆଜି ବି ସେ ତାଙ୍କ ଗୀତରେ ଅମର ହୋଇ ରହିଛନ୍ତି।

 

Share