ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬ ଫେବୃୟାରୀ ୨୦୨୨)ରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ଭାଇରସରେ ସଂକ୍ରମିତ ହେବା ପରେ ୮ ଜାନୁୟାରୀରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେବେଠାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ସେ ସମସ୍ତଙ୍କଠାରୁ ନେଲେ ଚୀର ବିଦାୟ, ଶୋଇଗଲେ ଚୀର ନିଦ୍ରାରେ. ପାଲଟିଗଲେ ଅଫେରା ରାଇଜର ପଥିକ । ଲତାଙ୍କ ବିୟୋଗରେ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଜଗତରେ ଛାଇ ଯାଇଛି ଶୋକର ଛାୟା ।
ଲତାଙ୍କ ଅନ୍ତିମ ସଂସ୍କାର ରବିବାର କରାଯିବ । ଦିନ ୧୨ଟାରେ ତାଙ୍କ ପାର୍ଥିବ ଶରୀର ପରେଡ ରୋଡ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି । ଏଠାରେ ଦିନ ୩ଟା ପର୍ଯ୍ୟନ୍ତ ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ । ଏହାପରେ ସଂନ୍ଧ୍ୟା ୪ଟା ୩୦ରେ ମୁମ୍ବାଇର ଶିବାଜୀ ପାର୍କ ନିଆଯିବ । ସେଠାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ଲତାଙ୍କ ଅନ୍ତିମ ସଂସ୍କାର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଢେ ୪ଟାରେ ମୁମ୍ବାଇ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ସ୍ୱର ସାମ୍ରାଜ୍ଞୀଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏହାସହ ସମସ୍ତ ରାଜ୍ୟରେ ତ୍ରିରଙ୍ଗା ଅର୍ଦ୍ଧ ନମିତ ରହିବ । ଲତାଙ୍କ ବିୟୋଗରେ ବଲିଉଡ ଦୁନିଆରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି ।

Share