Categories: ଖେଳ

ଏକଦା ସ୍କୁଟରରେ ବସି ବୁଲୁଥିଲେ ଏହି ଦୁଇ କ୍ରିକେଟର; ଏବେ ଗ୍ୟାରେଜରେ ରହିଛି…

ନୂଆଦିଲ୍ଲୀ,୬।୫: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଦ୍ରୁତ ବୋଲର୍‌ ଆଶିଷ ନେହେରାଙ୍କ ବନ୍ଧୁତା ବିଷୟରେ କାହାକୁ ଅଛପା ନାହିଁ। ଉଭୟ ଦିଲ୍ଲୀର ବାସିନ୍ଦା। ଏଣୁ ସେମାନେ ପିଲାଟି ଦିନରୁ ବନ୍ଧୁ। ଉଭୟ ଏକାସାଙ୍ଗରେ କ୍ରିକେଟ ଖେଳୁଥିଲେ। ନିକଟରେ ଏକ ସାକ୍ଷାତକାରରେ ନେହେରା ସେହ୍ବାଗଙ୍କ ସହ ବନ୍ଧୁତାର ଅନେକ କାହାଣୀ କହିଛନ୍ତି।

ନେହେରା କହିଛନ୍ତି, ସେହ୍ବାଗ ନଫଜଗଡ଼ରେ ରହୁଥିବା ବେଳେ ସେ ରହୁଥିଲେ ଦିଲ୍ଲୀରେ। ଉଭୟ ଫିରୋଜଶାହ କୋଟାଲା ମଇଦାନକୁ ଅଭ୍ୟାସ କରିବାକୁ ଯାଉଥିଲେ। ସେଠାରେ ସକାଳ ୮ଟାରେ ପହଞ୍ଚିବାର ଥିଲା। ଏମିତିରେ ସେହ୍ବାଗ ତାଙ୍କୁ ଆଣିବାକୁ ଘରେ ପହଞ୍ଚିଯାଉଥିଲେ। ସେହ୍ବାଗ ଯାଇ ଘରେ ପହଞ୍ଚିବା ବେଳକୁ ନେହେରା ଶୋଇଥାନ୍ତି। ଏଣୁ ତାଙ୍କୁ ନିତ୍ୟକ୍ରମ ସାରି ବାହାରିବାକୁ ୨୦ରୁ ୨୫ ମିନିଟ ସମୟ ଲାଗେ। ନେହେରାଙ୍କ ମା’ ପୁଅଙ୍କ ପାଇଁ କ୍ଷୀର ରଖୁଥିଲେ। ହେଲେ ତାଙ୍କୁ ପସନ୍ଦ ନ ଥିବାରୁ ସବୁତକ କ୍ଷୀର ସେହ୍ବାଗ ପିଇ ଦେଉଥିଲେ। ନେହେରା ସେହ୍ବାଗଙ୍କ ସ୍କୁଟରରେ ବସି ବସି ଶୋଇ ପଡ଼ୁଥିଲେ। ଏହା ଦେଖି ସେହ୍ବାଗ ଚିଡି ଯାଉଥିଲେ। ଏମିତିକି ନେହେରାଙ୍କୁ ସ୍କୁଟର ଚଳାଇବାକୁ କହୁଥିଲେ। ହେଲେ ପ୍ରତିଥର ମନା କରୁଥିଲେ ନେହେରା।

ସେତେବେଳେ ସ୍କୁଟରରେ ଯାତ୍ରା କରୁଥିବା ଏହି ଦୁଇ କ୍ରିକେଟରଙ୍କ ଗ୍ୟାରେଜରେ ଏବେ ଅନେକ ଦାମୀ ଗାଡ଼ି ରହିଛି। ଅଡି, ବିଏମ୍‌ଡବ୍ଲୁଠାରୁ ଆରମ୍ଭ କରି ଅନେକ ବିଳାସପୂର୍ଣ୍ଣ ଗାଡ଼ି ତାଙ୍କ ପାଖରେ ଅଛି।

Share