ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା ସମୟରେ ମାମଲାର ସୁପରିଚାଳନା କରୁ ନ ଥିବାରୁ ଏହା ବୋଝ ସଦୃଶ ହେଉଛି। ଏହି ପରିପ୍ରେକ୍ଷୀରେ ଅଦାଲତି ମାମଲା ପୂର୍ତ୍ତ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପରିସ୍ଥିତି ଏପରି ହୋଇଛି ଯେ ବିଭାଗକୁ ଆଇନବିଭାଗର ପରାମର୍ଶ ନେବାପାଇଁ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରିବା ଆବଶ୍ୟକ ହୋଇପଡ଼ିଛି।
ଏସଂକ୍ରାନ୍ତରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ ଆଇନ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ପତ୍ର ଲେଖି ଆଡ୍ଭୋକେଟ ଜେନେରାଲଙ୍କ ସମନ୍ବୟରେ ଏକ କର୍ମଶାଳା କରାଇବାକୁ ଅନୁରୋଧ କରିଛନ୍ତି। ଅତିରିକ୍ତ ସଚିବ ଏ ସଂକ୍ରାନ୍ତରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ଆଡ୍ଭୋକେଟ ଜେନେରାଲଙ୍କଠାରୁ ମାମଲାର ପ୍ରାପ୍ତି ସ୍ବୀକାର ପାଇବାରେ ବିଳମ୍ବ ହେଉଥିବାରୁ ଅଦାଲତି ମାମଲାରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏପରି କି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାର ତୁରନ୍ତ ପଦକ୍ଷେପ ନେଇପାରୁ ନାହାନ୍ତି। ରାଜ୍ୟର ସ୍ବାର୍ଥ ପାଇଁ ତୁରନ୍ତ ଅପିଲ୍ ଦାଖଲ କରିବା ଆବଶ୍ୟକ ହେଉଥିଲେ ମଧ୍ୟ ରିଟ୍ ଅପିଲ୍, ଏଲ୍ଏଏ ଓ ଆର୍ଏସ୍ଏ ମାମଲାରେ ବିଳମ୍ବ ହେଉଛି। ଏହାଦ୍ୱାରା ସରକାରଙ୍କ ବିରୋଧରେ ପ୍ରତିକୂଳ ଅଦାଲତି ଆଦେଶ ଆସୁଛି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ୁଛି। ଆଡ୍ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ମଧ୍ୟରେ ଫାଇଲ୍ ଆଦାନପ୍ରଦାନରେ ବିଳମ୍ବ ଓ ଲଜିଷ୍ଟିକ୍ ସମସ୍ୟା ଯୋଗୁ ବିଭାଗୀୟ ଅଧିକାରୀଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି। ଗୋଟିଏ ଲେଖାଏ ମାମଲାରେ ବାରମ୍ବାର ଓକିଲ ପରିବର୍ତ୍ତନ ହେବାରୁ ମାମଲାର ପୂର୍ବ ଇତିହାସ ଓ ତଥ୍ୟ ବୁଝିବାରେ ସମସ୍ୟା ହେଉଛି; ଯଦ୍ଦ୍ବାରା କି ସରକାରଙ୍କ ପକ୍ଷକୁ ଦୁର୍ବଳ କରୁଛି। ସେହିପରି ଆବଶ୍ୟକ ଇଣ୍ଟରଲୋକ୍ୟୁଟରି ଆବେଦନ (ଆଇଏ) ଦାଖଲ ହେବା ପରେ ମଧ୍ୟ ମାମଲାଗୁଡ଼ିକ ଶୁଣାଣି ପାଇଁ ତାଲିକାଭୁକ୍ତ ହେବାରେ ବିଳମ୍ବ ହେଉଛି। ଫଳରେ ସ୍ଥଗିତାଦେଶ ଦୀର୍ଘ ସମୟ ଧରି ବଳବତ୍ତର ରହୁଛି ଓ ସରକାରଙ୍କ ସ୍ବାର୍ଥ ପ୍ରଭାବିତ ହେଉଛି। ବିଶେଷକରି ଜମି ଓ ଜଙ୍ଗଲ ବିଭାଗ ସମ୍ପର୍କିତ ଜମି ଅଧିଗ୍ରହଣ ମାମଲାରେ ସିଭିଲ୍ ଡିପୋଜିଟ୍ ସମ୍ପର୍କିତ ପ୍ରକ୍ରିୟାଗତ ସମସ୍ୟା ରହିଛି। ଏହାର ତୁରନ୍ତ ସମାଧାନ ନ ହେଲେ ସରକାରଙ୍କ ଆର୍ଥିକ ଦାୟିତ୍ୱ ବଢ଼ିବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ସଚିବ ଆଇନ ବିଭାଗକୁ ଦର୍ଶାଇଛନ୍ତି।
ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୧ ଫେବୃଆରୀରେ ତତ୍କାଳୀନ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖି ନ୍ୟାୟିକ ମାମଲା ବୋଝ ହ୍ରାସ କରାଇବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଲିଟିଗେଶନ ମ୍ୟାନେଜମେଣ୍ଟ ସିଷ୍ଟମ(ଏଲ୍ଏମ୍ଏସ୍)କୁ ତ୍ୱରାନ୍ବିତ କରିବାକୁ କହିଥିଲେ। ମାତ୍ର ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡରେ ପ୍ରାୟ ୯ହଜାର ୩୫୧ ନ୍ୟାୟିକ ମାମଲା ରହିଥିଲା। ଏହାପରଠାରୁ ମାମଲା ବଢୁଥିଲେ ମଧ୍ୟ ସେସବୁକୁ ସୁପରିଚାଳନା କରାଯାଉ ନ ଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।