ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବାରଣ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ସ୍ଥାନୀୟ ସାମଲସାହିର ୨୫ ଦଳିତ ପରିବାର ଉକ୍ତ ରାସ୍ତା ଦେଇ ରାହାଡ଼ିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ନିଜ ପିଲାମାନଙ୍କୁ ୩ ଦିନ ହେଲା ପାଠ ପଢିବାକୁ ଛାଡୁନାହାନ୍ତି। ଗ୍ରାମ ମଧ୍ୟରେ ଏକ ପାଲ ବାନ୍ଧି ପ୍ରାୟ ୩୦ରୁ ଊଦ୍ଧର୍‌ବ ଅଙ୍ଗନଓ୍ବାଡି ଓ ସ୍କୁଲ ଯାଉଥିବା ପିଲାଙ୍କୁ ପାଠ ପଢ଼ା ଯାଉଛି। ଗ୍ରାମବାସୀ ଏ ସମ୍ପର୍କରେ ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗ୍ରାମବାସୀ ସାରଦା ସାମଲ, କେଦାର ସାମଲ ଓ କବିତା ସାମଲଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନରୁ ଗ୍ରାମବାସୀ ଏହି ମାଟି ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ଗତବର୍ଷ ତତ୍କାଳୀନ ସରପଞ୍ଚଙ୍କ ଉଦ୍ୟମରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମାଟି କାମ କରାଯାଇଥିଲା। ଚଳିତବର୍ଷ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି। କେତେକ ମୁଷ୍ଟିମେୟ ବ୍ୟକ୍ତି ଏହି ରାସ୍ତା ସଂଲଗ୍ନ ଶ୍ମଶାନ ଜମିକୁ ଜବରଦଖଲରେ ରଖି ରାସ୍ତା କାର୍ଯ୍ୟ କରାଇ ଦେଉନାହାନ୍ତି। ଏହାଛଡା ଯାତାୟାତ ପାଇଁ ବାରଣ କରୁଛନ୍ତି।
ଜିଲାପାଳ ପାରୁଲ ପଟୱାରୀ ୬ ମାସ ଉକ୍ତ ଗଁାକୁ ଗସ୍ତ କରି ରାସ୍ତାକାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ହେଲେ ରାସ୍ତାରେ ଯାତାୟାତ ବନ୍ଦ କରାଯିବା ଏହା ଦଳିତଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ଅହଲ୍ୟା ସାମଲ, ସବିତା ସାମଲ, ସଂଯୁକ୍ତା ସାମଲ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏକ କିମି ବାଟ ବୁଲି ଜଗତ୍‌ସିଂହପୁର-ଜଇପୁର ରାସ୍ତା ଦେଇ ସ୍କୁଲକୁ ପରିବାର ଲୋକେ ପିଲାଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇ ଦେଇଥିବା ଗ୍ରାମବାସୀ କହିଛନ୍ତି। ଏପରି ସମସ୍ୟା ଯୋଗୁ ବିଦ୍ୟାଳୟକୁ ପିଲା ଆସୁ ନ ଥିବା ସମ୍ପର୍କରେ ସିଆରସିସି ବିରୂପାକ୍ଷ ସେଠୀ ବିଇଓଙ୍କୁ ଜଣାଇଥିବା କହିଛନ୍ତି। ମଙ୍ଗଳବାର ସକାଳୁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ସ୍ଥାନୀୟ ସରପଞ୍ଚ ଅମିତା ଖୁଣ୍ଟିଆ ଓ ସମିତିସଭ୍ୟ ରଞ୍ଜନ କୁମାର ସ୍ବାଇଁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଛନ୍ତି। ପିଲାମାନେ ଉକ୍ତ ରାସ୍ତା ଦେଇ ସ୍କୁଲକୁ ଯାତାୟାତ କରନ୍ତୁ। ଖୁବ୍‌ଶୀଘ୍ର ରାସ୍ତାକାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।