Categories: ଜାତୀୟ

ଖେଳ ପଡିଆରୁ ରାଜନୀତି ମଇଦାନ

ଇମ୍ଫାଲ,୨୧ ।୩: ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ନିର୍ବାଚନରେ ବିଜୟୀ କରିବାରେ ଏନ୍ ବିରେନ ସିଂଙ୍କର ଖୁବ୍ ଅବଦାନ ରହିଛି । ପ୍ରଥମେ ଫୁଟବଲ ଖେଳାଳି ହେବାକୁ ଚାହୁଁଥିବା ବିରେନ୍ ସିଂ ଏହାପରେ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ । ହେଲେ ଏତିକିରେ ତାଙ୍କର ମନ ବୁଝି ନ ଥିଲା । ଏକାଥରେ ଲମ୍ଫ ମାରିଥିଲେ ରାଜନୀତି ଦୁନିଆକୁ । ଆଉ ଏବେ ସେ ଦ୍ୱିତିୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଏନ୍ ବିରେନ୍ ସିଂ ସୋମବାର ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଏଲ ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପାର କେତେଜଣ ବରିଷ୍ଠ ନତା ଉପସ୍ଥିତ ଥିଲେ । ବିରେନ୍ ସିଂ ଦ୍ୱିତୀୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ବିରେନ୍ ସିଂଙ୍କ ସହ ମେଚା କିପଗେନ, ୱାଇ ଖେମଚନ୍ଦ ସିଂ, ବିଶ୍ୱଜିତ ସିଂ, ଅବଗବୈ ନ୍ୟୁମାଇ ଓ ଗୋବିନ୍ଦଦାସ କୈଥୌଜନ ଇମ୍ଫାଲର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମଣ ଓ କିରଣ ରିଜିଜୁ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ପତ୍ର ଦେଇଥିଲେ । ଯେଉଁଥିରେ ବିରେନ ସିଂଙ୍କୁ ସର୍ବସମ୍ମତିକ୍ରମେ ୩୨ ବିଧାୟକ ବିଧାୟକ ଦଳର ନେତା ନିର୍ବାଚିତ କରିଥିଲେ । ରବିବାର ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା ।

Share