Categories: ଜାତୀୟ

ଶିକ୍ଷା ସହିତ ଜାରି ରହୁ ରୋଜଗାର…

ନୂଆଦିଲ୍ଲୀ,୧୫।୭: ଶିକ୍ଷା ସହିତ ରୋଜଗାର ମଧ୍ୟ ଜାରି ରହୁ। ଶିକ୍ଷା ପାଇଁ ରୋଜଗାର ନ ଅଟକୁ। ସାମ୍ପ୍ରତିକ ଦୁନିଆରେ କୌଶଳ ବିକାଶ ହାସଲ କରିଥିବା ଦେଶରେ ହିଁ ପ୍ରଗତୀ ଧାରା ଅବ୍ୟାହତ ରହୁଛି। ତେଣୁ ଏଥିପ୍ରତି ଗୁରୁତ୍ୱାରୋପ କରିବାର ସମୟ ଆସିଛି। ବିଶ୍ୱ ଯୁବା କୌଶଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ପାଠପଢ଼ା କ’ଣ କରିବାକୁ ହେବ ସେସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାଏ ସେହିପରି କୌଶଳ ବିକାଶ ଦ୍ୱାରା କାର୍ଯ୍ୟର ବାସ୍ତବିକତାକୁ ପ୍ରତିପାଦିତ ହୋଇଥାଏ। ଭାରତୀୟ ଯୁବବର୍ଗଙ୍କ କୌଶଳ ବିକାଶ ଏକ ରାଷ୍ଟ୍ରୀୟ ଆବଶ୍ୟକତା। ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ୬ ବର୍ଷ ଧରି ଦେଶରେ ସ୍କିଲ୍‌ ଇଣ୍ଡିଆ ମିଶନ ଦ୍ୱାରା ଅଗ୍ରଗତି ଜାରି ରହିଛି। ଭାରତୀୟ ସଂସ୍କୃତିରେ କୌଶଳ ବିକାଶ ଅତି ପୁରାତନ କାଳରୁ ପ୍ରଚଳିତ। ବିଜୟା ଦଶମୀରେ ଶସ୍ତ୍ର ପୂଜନ, ଅକ୍ଷୟ ତୃତୀୟାରେ କୃଷି ଉପକରଣ ପୂଜା ଏବଂ ଭଗବାନ ବିଶ୍ୱକର୍ମାଙ୍କ ପୂଜନ ଏହାକୁ ସ୍ବତଃ ପ୍ରତିପାଦିତ କରିଥାଏ। ସ୍କିଲ୍‌ ଇଣ୍ଡିଆ ମିଶନ ଯୁବବର୍ଗଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଯୁବବର୍ଗଙ୍କ ଦକ୍ଷତା ବିକାଶ ସମ୍ଭବ ହେବା ସହିତ ଦେଶର ଅର୍ଥନୀତିରେ ସକାରାତ୍ମକ ପ୍ରଭାବ ଜାରି ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share